ପୁଣି ଏକାଠି ହୋଇଛନ୍ତି ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାର

ଏମ୍‌ଭି-୭୯ ଅତ୍ୟଧିକ କମ୍‌ ଦରରେ ଟେଣ୍ଡର ଦାଖଲକୁ ନେଇ ପୁଣି ଏକାଠି ହୋଇଛନ୍ତି ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାର। ବୁଧବାର ଏମ୍‌ଭି-୭୯ରେ ଅନୁଷ୍ଠିତ ବୈଠକରେ ଟେଣ୍ଡର ପ୍ରକ୍ରିୟା, ଦର ଓ କାମର ମାନକୁ ନେଇ ଆଲୋଚନା ହୋଇଥିଲା।

ଠିକାଦାରଙ୍କ କହିବାନୁଯାୟୀ, ଅଧିକାଂଶ ଠିକାଦାର ସିଡ୍ୟୁଲ୍‌ ଦରରେ ଟେଣ୍ଡର ଦାଖଲ କରିଥିବାବେଳେ କେତେକ ଠିକାଦାର କାମ ପାଇବା ଆଶାରେ ଅତ୍ୟଧିକ କମ୍‌ ଦରରେ ଟେଣ୍ଡର ଦାଖଲ କରିଛନ୍ତି। ଏଭଳି କମ୍‌ ଦରରେ କାମ କଲେ କାମର ଗୁଣବତ୍ତା ପ୍ରଭାବିତ ହେବା ସହ ସମ୍ପୃକ୍ତ ଠିକାଦାର ମଧ୍ୟ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ଏହାକୁ ନେଇ ସମସ୍ତ ଠିକାଦାର ଏକାଠି ହୋଇ ସିଡ୍ୟୁଲ୍‌ ଦରରେ ଟେଣ୍ଡର ଦାଖଲ କରିବା ସହ କେହି ଲେସ୍‌ରେ ଟେଣ୍ଡର ଦାଖଲ ନକରିବାକୁ ମତ ପ୍ରକାଶ ପାଇଥିଲା। ଏଥିସହ ଲେସ୍‌ରେ ଟେଣ୍ଡର ଦାଖଲ କରୁଥିବା ଠିକାଦାରଙ୍କୁ ଅନ୍ୟମାନେ ସହଯୋଗ ନକରିବା ଏବଂ ସେମାନଙ୍କୁ କାମ କରିବାକୁ ଦିଆନଯିବା ନେଇ ମଧ୍ୟ ବୈଠକରେ ମତ ରଖାଯାଇଥିଲା। ତେବେ ଟେଣ୍ଡର ଦର ଓ କାମର ଗୁଣବତ୍ତାକୁ ନେଇ ଠିକାଦାରଙ୍କ ଏହି ଏକତା ପରବର୍ତ୍ତୀ ସମୟରେ କେଉଁ ରୂପ ନେଉଛି, ତାହା ଉପରେ ନଜର ରହିଛି।