ପତ୍ନୀଙ୍କୁ ଶ୍ୱଶୁର ଘର ଲୋକ ନେଇଯିବାରୁ ଆତ୍ମହତ୍ୟା ଉଦ୍ୟମ କରି ମୋବାଇଲ୍ ଟାୱାର ଉପରେ ଚଢ଼ିଗଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଝୁମ୍ପୁରା ଗ୍ରାମ ୧୪୩-ନଂ ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱରେ ।
ସୂଚନା ଅନୁଯାୟୀ ବାରକୋଟ ଝୁମ୍ପୁରା ଗ୍ରାମର ଲବ ନାଏକ ବିବାହର କିଛି ବର୍ଷ ପରେ ତାଙ୍କ ପ୍ରଥମ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଏହାପରେ ପାଖ ଅଞ୍ଚଳରୁ ଜଣେ ଯୁବତୀଙ୍କୁ ପ୍ରେମ କରି ଗତ ରାକ୍ଷୀ ପୂର୍ଣ୍ଣିମାଦିନ ଘରକୁ ଆଣିଥିଲେ । ତେବେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଯୁବତୀଙ୍କ ପରିବାର ଲୋକେ ପହଞ୍ଚି ଯୁବତୀଙ୍କୁ ସାଙ୍ଗରେ ତାଙ୍କ ନିଜ ଘରକୁ ନେଇଯାଇଥିଲେ ।
ଏହାପରେ ଲବ ମାନସିକ ଭାବେ ଭାଙ୍ଗି ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସେ ବାରକୋଟରୁ ରାଉରକେଲା ଯାଇଥିବା ୧୪୩ ନଂ ଜାତୀୟ ରାଜପଥ ଝୁମ୍ପୁରା ନିକଟ ରାସ୍ତା ପାର୍ଶ୍ୱରେ ଥିବା ଜିଓ ନେଟୱର୍କ ଟାୱାର ଉପରକୁ ଚଢ଼ିଯାଇଥିଲେ । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ବାରକୋଟ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଟାୱାରରୁ ତଳକୁ ଓହ୍ଲାଇବା ପାଇଁ ଲବଙ୍କୁ ବୁଝାସୁଝା କରୁଛନ୍ତି । ଘଟଣାକୁ ନେଇ ଲୋକଙ୍କ ଭିଡ଼ ଜମିଛି । ବାରକୋଟପୋଲିସ ଓ ଅଗ୍ନିଶମ ବିଭାଗ ତାଙ୍କୁ ଜିଓ ଟାୱାର ରୁ ତଳକୁ ଉଲ୍ଲ।ଇବା ପାଇଁ। ପ୍ରୟାସ ଜାରି ରଖିଛି।