ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ତାତିରୁ ତ୍ରାହି । ସକାଳୁ ସକାଳୁ ଝିପି ଝିପି ବର୍ଷାରେ ଭିଜିଛି ଓଡ଼ିଶା । ଏହା ପରେ ତଳମୁହାଁ ହୋଇଛି ପାରଦ । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍ଝିପ୍ ବର୍ଷା ହୋଇଛି । ଆଜିଠୁ ୪ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ଦେବଗଡ, ସୁନ୍ଦରଗଡ, ବୌଦ୍ଧ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି କୁହାଯାଉଛି । ସେହି ପରି ଆସନ୍ତା କାଲି ଠାରୁ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ରାୟଗଡା, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ହାଲୁକା ବର୍ଷା ହେବ। ୨୬, ୨୭ ଏବଂ ୨୮ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।