ଏଣିକି ବିନା ଟିକଟରେ ଟ୍ରେନରେ ଯାତ୍ରା କରିଲେ ଦେବାକୁ ପଡିବ ଦୁଇଗୁଣ ଜୋରିମାନା

ଏଣିକି ବିନା ଟିକଟରେ ଟ୍ରେନରେ ଯାତ୍ରା କରିଲେ ଦେବାକୁ ପଡିବ ଦୁଇଗୁଣ ଜୋରିମାନା । କାରଣ ଜନ ବିଶ୍ୱାସ ଅଧିନିୟମକୁ ମଞ୍ଜୁରି ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଞ୍ଜୁରି ପାଇବା ପରେ ଏହା ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି । ଏହି ଅଧିନିୟମ ଅନ୍ତର୍ଗତ ରେଳବାଇ ଅଧିନିୟମ, ୧୯୮୯ ର ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି ।

ସଂଶୋଧିତ ନିୟମ ଅନୁଯାୟୀ, ରେଳପଥ ଅଧିନିୟମର ଧାରା ୧୩୭ ଅନ୍ତର୍ଗତ ରେଳ ପ୍ରଶାସନକୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ବୈଧ ଟିକଟ କିମ୍ବା ପାସ୍ ନଥାଇ ଯାତ୍ରା କରିବା ବା ଯାତ୍ରା କରିବାକୁ ଚେଷ୍ଟା କରିବା କ୍ଷେତ୍ରରେ ଦେୟ ଥିବା ସର୍ବନିମ୍ନ ଅତିରିକ୍ତ ଶୁଳ୍କ (ଏକ୍ସେସ୍ ଚାର୍ଜ) ରାଶିକୁ ୨୫୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଜୋରିମାନା ଅନାଦାୟ ସମ୍ପୃକ୍ତ ମାମଲାକୁ ସକ୍ଷମ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ ।

ଧାରା ୧୩୮ ଅନ୍ତର୍ଗତ, ଟିକେଟ୍ ନଥାଇ କିମ୍ବା ନିର୍ଦ୍ଧାରିତ ଦୂରତାଠାରୁ ଅଧିକ ଯାତ୍ରା କରିବା କ୍ଷେତ୍ରରେ ସର୍ବନିମ୍ନ ଅତିରିକ୍ତ ଶୁଳ୍କ ମଧ୍ୟ ୨୫୦ ଟଙ୍କା ବଦଳରେ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାବ୍ୟତୀତ, ଧାରା ୧୪୨ ଅନ୍ତର୍ଗତ, ହସ୍ତାନ୍ତରିତ (ଟ୍ରାନ୍ସଫର୍ଡ) ଟିକେଟ୍ରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ରେଳଭଡ଼ା ସହିତ ସର୍ବନିମ୍ନ ୫୦୦ ଟଙ୍କାର ଅତିରିକ୍ତ ଶୁଳ୍କ ଆଦାୟ କରାଯିବ।

ଧାରା ୧୪୪ ରେ, ବିନା ଅନୁମତିରେ ରେଳ ପରିସର କିମ୍ବା ଟ୍ରେନ୍ ମଧ୍ୟରେ ଫେରି କରିବା, ସାମଗ୍ରୀ ବିକ୍ରୟ କରିବା କିମ୍ବା ଭିକ୍ଷାବୃତ୍ତି କରିବା ସମ୍ପର୍କିତ ଦଣ୍ଡବିଧାନ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି। ଏଭଳି କ୍ଷେତ୍ରରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ। ବାରମ୍ବାର ନିୟମ ଉଲ୍ଲଂଘନ କଲେ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଧାରା ୧୪୫ ଅନ୍ତର୍ଗତ, ନିଶାଗ୍ରସ୍ତ ଅବସ୍ଥାରେ ମିଳିବା, ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା, କୌଣସି ମାଦକ ଉପଦ୍ରବ କିମ୍ବା ଅଶ୍ଳୀଳ କାର୍ଯ୍ୟ କରିବା, ଗାଳିଗୁଲଜ ବା ଅଶ୍ଳୀଳ ଭାଷା ବ୍ୟବହାର କରିବା ଏବଂ ଟ୍ରେନ୍ କିମ୍ବା ରେଳ ପରିସରରେ ରେଳବାଇ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗରେ ବାଧା ସୃଷ୍ଟି କରିବା ପାଇଁ ୧,୦୦୦ ଟଙ୍କା ଜୋରିମାନା କରାଯାଇପାରିବ। ଯଦି ଚେତାବନୀ ପରେ ମଧ୍ୟ ଉପଦ୍ରବ ଜାରି ରହେ, ତେବେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା କରାଯାଇଛି।

ଧାରା ୧୪୬ ଅନ୍ତର୍ଗତ, ଜଣେ ରେଳ କର୍ମଚାରୀଙ୍କୁ ତାଙ୍କର ଆଇନଗତ କର୍ତ୍ତବ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିବା ସମ୍ପର୍କିତ ଦଣ୍ଡବିଧାନ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି ଏବଂ ନିର୍ଦ୍ଧାରିତ ଜୋରିମାନା ରାଶିକୁ ବୃଦ୍ଧି କରାଯାଇଛି।

ଧାରା ୧୪୭ ଅନ୍ତର୍ଗତ, ଅନଧିକୃତ ପ୍ରବେଶ, ଯାତ୍ରୀ ଅଞ୍ଚଳ କିମ୍ବା ଅନ୍ୟାନ୍ୟ ରେଳ ପରିସର ମଧ୍ୟକୁ ବେଆଇନ ଭାବେ ପ୍ରବେଶ କରିବା କିମ୍ବା ପରିସର ଛାଡ଼ିବାକୁ ମନା କରୁଥିବା ବ୍ୟକ୍ତିଙ୍କ ଉପରେ ୫୦୦ ଟଙ୍କା ଜୋରିମାନା କରାଯାଇପାରିବ। ଗୁରୁତର କିମ୍ବା ବାରମ୍ବାର ଘଟୁଥିବା ମାମଲାରେ, କାରାଦଣ୍ଡ ଏବଂ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମନାର ବ୍ୟବସ୍ଥା ମଧ୍ୟ କରାଯାଇଛି ।