ଆଧାର କାର୍ଡ଼ ଦେଇ ସିମ୍ କିଣିଛନ୍ତି କି, ତେବେ ଆପଣଙ୍କ ସିମ୍ କାର୍ଡ଼ ହୋଇପାରେ ବନ୍ଦ

(ଶୁଭସ୍ମିତା ଦାଶ): ଆପଣ ଜାଣିଛନ୍ତି କି ଆପଣଙ୍କ ସିମ କାର୍ଡ଼ ବିଛିନ୍ନ ହୋଇପାରେ । ସିମ୍ କାର୍ଡ଼ ଆଣିଥିବା ସମୟରେ ଆପଣ ଆଧାର କାର୍ଡ଼କୁ କେୱାଇସି ପ୍ରମାଣ ପତ୍ର ଭାବେ ଦେଇଥିଲେ । ମାତ୍ର ସେଥିରେ ଏବେ ପରିବର୍ତ୍ତନ କରାଯାଇଛି । ସିମ୍ କାର୍ଡ଼ ପାଇଁ ଆଧାର କାର୍ଡ଼କୁ ଆଉ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ ନାହିଁ ବୋଲି ଖବର ଆସିଛି । ଆଧାର କାର୍ଡ଼ ବଦଳରେ ଉପଭୋକ୍ତମାନଙ୍କୁ ପାନକାର୍ଡ, ଭୋଟରକାର୍ଡ, ଡାଇଭିଂ ଲାଇସେନ୍ସ ଆଦିକୁ ପୁଣି ଥରେ ସେମାନଙ୍କ କେଓ୍ଵାଇସ ଭାବେ ଦାଖଲ କରିବାକୁ ପଡ଼ିପାରେ ।

ମୋବାଇଲ ସିମ୍‌ କାର୍ଡ଼ ଆଣିଲା ବେଳେ ଯେଉଁ ଉପଭୋକ୍ତାମାନେ ସେମାନଙ୍କ ଆଧାରକାର୍ଡକୁ କେଓ୍ଵାଇସି ପ୍ରମାଣପତ୍ର ଭାବେ ପ୍ରଦାନ କରିଛନ୍ତି, ସେମାନଙ୍କ ମୋବାଇଲ ସିମ କାର୍ଡକୁ ଡିସ୍‌କନେକ୍ଟ ବା ବିଛିନ୍ନ କରାଯିବାକୁ ମୋବାଇଲ କମ୍ପାନିମାନେ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଘରୋଇ କମ୍ପାନିମାନେ ନାଗରିକଙ୍କ ଆଧାରକାର୍ଡକୁ ବ୍ୟବହାର କରିବା ଉପରେ ରୋକ ଲଗାଇଥିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଉଥିବା ଜଣାଯାଇଛି। ଏ ନେଇ ଯେଉଁ ବଡ଼ ଧରଣର ସମସ୍ୟା ସୃଷ୍ଟି ହେବାକୁ ଯାଉଛି ତାକୁ କିପରି ମୁକାବିଲା କରାଯିବ ସେ ନେଇ ସରକାରୀ ସ୍ତରରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି ।

ସୂଚନା ଅନୁଯାୟୀ, ନାଗରିକମାନଙ୍କୁ ସେମାନଙ୍କ କେଓ୍ଵାଇସି ପରିବର୍ତ୍ତନ ପାଇଁ ସରକାର ପର୍ୟ୍ୟାପ୍ତ ସମୟ ଦେବାକୁ ଯୋଜନା କରୁଛନ୍ତି।ଏଥିପାଇଁ ଗତ ବୁଧବାର ଦିନ ଟେଲିକମ୍‌ ସଚିବ ଅରୁଣା ସୁନ୍ଦର ରାଜନ ମୋବାଇଲ ସେବା ପ୍ରଦାନକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ସହିତ ଆଧାର କାର୍ଡର ବିକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି। ବିଶେଷ କରି ଏହି କେଓ୍ଵାଇସି ପରିବର୍ତ୍ତନ ମମୟରେ ଉପଭୋକ୍ତାମାନେ ଯେପରି ବିଶେଷ ହଇରାଣ ହରକତ ନ ହୁଅନ୍ତି, ସେ ଦିଗରରେ ବିକଳ୍ପ ବାହାର କରାଯାଉଛି ବୋଲି ସୁନ୍ଦରରାଜନ କରିଛନ୍ତି। ବିଷେଷ କରି ରିଲାଏନ୍ସ ଜିଓ ସିମ୍‌କାର୍ଡ଼ ଦେବା ପାଇଁ ଆଧାରକାର୍ଡକୁ ମୁଖ୍ୟ କେଓ୍ଵାଇସି ଭାବେ ଗ୍ରହଣ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଅନ୍ୟମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଏପରିକି ପୁରୁଣା ମୋବାଇଲ ସିମ୍‌କାର୍ଡ ବ୍ୟବହାର କରୁଥିବା ଉପଭୋକ୍ତାମାନେ ମଧ୍ୟ ହଇରାଣରେ ପଡ଼ି ପାରନ୍ତି। କାରଣ ସେବା ଦେଉଥିବା କମ୍ପାନି ଉପଭୋକ୍ତା କେଓ୍ଵାଇସିର ଆଧାର ଲିଙ୍କ କରି ସାରିବା ପରେ ତାଙ୍କ ପୁରୁଣା କେଓ୍ଵାଇସିକୁ ନଷ୍ଟ କରି ଦେଇଥାଇ ପାରନ୍ତି। ତେବେ ଏହି ପ୍ରସଙ୍ଗରେ ମୋବାଇଲ କମ୍ପାନିଗୁଡ଼ି ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। । ତେବେ ଶେଷ ନିଷ୍ପତ୍ତି ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ହେବ ବୋଲି ଜଣାଯାଇଛି।