ଋତୁସ୍ରାବ ଜନିତ ସ୍ୱଚ୍ଛତା ମହିଳାଙ୍କର ମୌଳିକ ଅଧିକାର: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ: ମହିଳାଙ୍କ ସ୍ୱାସ୍ଥ୍ୟ ଓ ମର୍ଯ୍ୟାଦା ସୁରକ୍ଷା ଦିଗରେ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଋତୁସ୍ରାବ ଜନିତ ସ୍ୱଚ୍ଛତା ସମ୍ବିଧାନର ଧାରା ୨୧ ଅନୁଯାୟୀ ମହିଳାଙ୍କର ଏକ ମୌଳିକ ଅଧିକାର। ଏହା ମହିଳାଙ୍କ ଜୀବନ ଧାରଣର ଅଧିକାର ଓ ଗୋପନୀୟତା ଅଧିକାରର ଏକ ଅଂଶବିଶେଷ ବୋଲି କୋର୍ଟ କହିଛନ୍ତି। ବିଚାରପତି ଜେ.ବି. ପର୍ଡିୱାଲା ଓ ବିଚାରପତି ଆର. ମହାଦେବନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଏହି ରାୟରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି।

ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ସମସ୍ତ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ପ୍ୟାଡ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଓ ପର୍ଯ୍ୟାପ୍ତ ପାଇଖାନା ସୁବିଧା ସୁନିଶ୍ଚିତ କରିବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଘରୋଇ ବିଦ୍ୟାଳୟଗୁଡିକ ମଧ୍ୟ ଏହି ନିର୍ଦ୍ଦେଶ ମାନିବାକୁ ବାଧ୍ୟ। କୌଣସି ଘରୋଇ ବିଦ୍ୟାଳୟ ଯଦି ଛାତ୍ରୀଙ୍କୁ ମାଗଣା ସାନିଟାରି ପ୍ୟାଡ ଓ ସ୍ୱଚ୍ଛ ପାଇଖାନା ସୁବିଧା ଯୋଗାଇ ଦେବାରେ ବିଫଳ ହୁଏ, ତେବେ ସେହି ବିଦ୍ୟାଳୟର ପଞ୍ଜୀକରଣ ରଦ୍ଦ କରାଯିବ।

କୋର୍ଟ କହିଛନ୍ତି ଯେ, ଛାତ୍ରୀଙ୍କୁ ଏହି ମୌଳିକ ସୁବିଧା ଯୋଗାଇ ଦିଆଯାଉ ନଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗୋପନୀୟତା ଗୁରୁତର ଭାବେ ପ୍ରଭାବିତ ହେଉଛି। ମାଗଣା ସାନିଟାରି ପ୍ୟାଡ ଯୋଗାଣ କୌଣସି ଦାତବ୍ୟ କାର୍ଯ୍ୟ ନୁହେଁ, ବରଂ ଏହା ସରକାରଙ୍କର ଏକ ସାମ୍ବିଧାନିକ ଉତ୍ତରଦାୟିତ୍ୱ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। ଏହି ରାୟ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ମାଗଣା ସାନିଟାରି ପ୍ୟାଡ ଓ ସ୍ୱଚ୍ଛତା ସୁବିଧା ଦେବାକୁ ଦାବି କରି ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି ପରେ ଆସିଛି। ଗତବର୍ଷ ହରିୟାଣାର ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ଋତୁସ୍ରାବର ପ୍ରମାଣ ଦେବାକୁ ବାଧ୍ୟ କରାଯାଇଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।