ବେରୁତ/ତେଲ୍ ଆଭିଭ୍: ମଧ୍ୟପ୍ରାଚ୍ୟରେ ତଣାଟଣି ଆହୁରି ତୀବ୍ର ହୋଇଛି। Israel ଏକ ଶକ୍ତିଶାଳୀ ଏୟାର ଷ୍ଟ୍ରାଇକ୍ରେ Hezbollahର ନୂଆ ମୁଖିଆ Naim Qassem ନିହତ ହୋଇଥିବା ଦାବି କରିଛି। ଏହି ଆକ୍ରମଣ Beirutରେ ହୋଇଥିବା ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି।
ଯୁଦ୍ଧବିରତି ପାଇଁ ଆଲୋଚନା ଚାଲିଥିବା ବେଳେ ଇସ୍ରାଏଲର ଏହି ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ହିଜବୁଲ୍ଲା ପାଇଁ ଏକ ଭାରୀ ଝଟକା ଭାବେ ଦେଖାଯାଉଛି। ତେବେ ଏହି ଦାବିକୁ ସ୍ୱାଧୀନ ଉତ୍ସରୁ ତୁରନ୍ତ ପ୍ରମାଣିତ କରାଯାଇପାରିନାହିଁ।
୨୦୨୪ରେ ହିଜବୁଲ୍ଲାର ଦୀର୍ଘଦିନର ନେତା Hassan Nasrallahଙ୍କ ମୃତ୍ୟୁ ପରେ ନଇମ କାସିମ୍ ସଂଗଠନର ନେତୃତ୍ୱ ନେଇଥିଲେ। ୩୦ ବର୍ଷରୁ ଅଧିକ ସମୟ ଧରି ସେ ଏହି ସଂଗଠନ ସହିତ ସକ୍ରିୟ ଭାବେ ଜଡିତ ଥିଲେ। ତାଙ୍କୁ ନିପାତ କରିବାକୁ ଇସ୍ରାଏଲ ଏକ ବଡ଼ ସାମରିକ ସଫଳତା ବୋଲି ଦାବି କରିଛି।
ଇରାନର ସମର୍ଥନରେ ଗଢ଼ିଉଠିଥିବା ହିଜବୁଲ୍ଲା ସଂଗଠନ ଏବେ ନେତୃତ୍ୱ ସଙ୍କଟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। Iran ଦକ୍ଷିଣ ଲେବାନନରେ ଇସ୍ରାଏଲୀୟ ପ୍ରଭାବକୁ ପ୍ରତିରୋଧ କରିବା ପାଇଁ ଏହି ଗୋଷ୍ଠୀକୁ ସମର୍ଥନ କରୁଥିବା କୁହାଯାଏ।
୧୯୮୨ ମସିହାରେ ଲେବାନନର ଶିଆ ଗୋଷ୍ଠୀମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ହିଜବୁଲ୍ଲା, ଇରାନର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡର ସମର୍ଥନରେ ଶକ୍ତିଶାଳୀ ହୋଇଉଠିଥିଲା। ଦକ୍ଷିଣ ଲେବାନନରେ ଇସ୍ରାଏଲୀୟ ଅଧିକାର ବିରୋଧରେ ଏହା ଦୀର୍ଘଦିନ ଧରି ଲଢ଼େଇ କରୁଛି।
ଏହି ଘଟଣା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଆହୁରି ଭୟଙ୍କର ହେବାର ଆଶଙ୍କା ଦେଖାଦେଇଛି। ବିଶେଷଜ୍ଞମାନେ ଏହାକୁ ଅଞ୍ଚଳୀୟ ସ୍ଥିରତା ପାଇଁ ଗୁରୁତର ଚ୍ୟାଲେଞ୍ଜ ବୋଲି ମତ ପ୍ରକାଶ କରିଛନ୍ତି।