କ୍ରିକେଟ୍ ପଡ଼ିଆରେ ବୟସ ଯେ କେବଳ ଏକ ସଂଖ୍ୟା, ତାହା ପୁଣିଥରେ ପ୍ରମାଣ କରିଛନ୍ତି ରୋହିତ ଶର୍ମା। ୩୯ ବର୍ଷ ବୟସରେ ମଧ୍ୟ ତାଙ୍କ ଫିଟନେସ୍ ଓ ଫିଲ୍ଡିଂ ଦକ୍ଷତା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି କ୍ରିକେଟ୍ପ୍ରେମୀ। ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ଡେରିଲ୍ ମିଚେଲ୍ଙ୍କୁ ରନ୍ଆଉଟ୍ କରିବାରେ ରୋହିତଙ୍କ ଚମତ୍କାର ପ୍ରୟାସ ଏବେ ଚର୍ଚ୍ଚାରେ।

ନ୍ୟୁଜିଲାଣ୍ଡ ଇନିଂସ୍ର ୨୨ତମ ଓଭରରେ ଏହି ରୋମାଞ୍ଚକର ଘଟଣା ଘଟିଥିଲା। ଅକ୍ଷର ପଟେଲ୍ଙ୍କ ବଲ୍କୁ ଗ୍ଲେନ୍ ଫିଲିପ୍ସ ଲେଗ୍ ସାଇଡ୍ ଆଡ଼କୁ ଖେଳି ରନ୍ ନେବାକୁ ଉଦ୍ୟମ କରିଥିଲେ। ତେବେ ରନ୍ ନେବାକୁ ନେଇ ଡେରିଲ୍ ମିଚେଲ୍ କିଛି ସମୟ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଏହି ସୁଯୋଗରେ ମିଡ୍ ୱିକେଟ୍ରେ ଥିବା ରୋହିତ ବିଜୁଳି ବେଗରେ ବଲ୍ ପାଖକୁ ଯାଇଥିଲେ।

ଡାଇଭ୍ ମାରି ବଲ୍ ଧରିବା ସହ ତୁରନ୍ତ ୱିକେଟ୍କିପର କେଏଲ୍ ରାହୁଲଙ୍କ ପାଖକୁ ଥ୍ରୋ କରିଥିଲେ ରୋହିତ। ରାହୁଲ ମଧ୍ୟ ବଲ୍ ଧରି ତୁରନ୍ତ ଷ୍ଟମ୍ପ୍ ଭାଙ୍ଗି ଦେଇଥିଲେ। ତୃତୀୟ ଅମ୍ପାୟାରଙ୍କ ରିପ୍ଲେ ଯାଞ୍ଚ ପରେ ମିଚେଲ୍ଙ୍କୁ ରନ୍ଆଉଟ୍ ଘୋଷଣା କରାଯାଇଥିଲା।
ରୋହିତଙ୍କ ଏହି ଫିଲ୍ଡିଂ ଦକ୍ଷତା ଓ ଉପସ୍ଥିତ ବୁଦ୍ଧିକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ପ୍ରଶଂସା ଚାଲିଛି। ୩୯ ବର୍ଷରେ ମଧ୍ୟ ତାଙ୍କ ଚମତ୍କାର ଫିଟନେସ୍ ଦେଖି ପ୍ରଶଂସକ କହୁଛନ୍ତି—ବୟସ ନୁହେଁ, ଖେଳ ପ୍ରତି ଉତ୍ସାହ ହିଁ ମଇଦାନରେ ଅସଲ ପରିଚୟ।