(ଶୁଭସ୍ମିତା ଦାଶ): ଦିନକୁ ଦିନ ହସ୍ତତନ୍ତ ଓ ହସ୍ତକଳା ପ୍ରତି ଲୋକଙ୍କ ଆଦର କମିବାରେ ଲାଗିଛି । ଯାହା ଦ୍ୱାରା କାରିଗରମାନେ ନିଜର କୌଳିକ ବୃତ୍ଥି ପ୍ରତି ବିମୁଖତା ଦେଖାଉଛନ୍ତି । କାମ ଅନୁଯାୟୀ ଉପଯୁକ୍ତ ପାରିଶ୍ରମିକ ପାଉନଥିବାରୁ ଅନେକ ସସ୍ୟାର ସମ୍ମୁଖୀନ ହେଉଛନ୍ତି । କେତେକ କାରିଗର ଏହି ବୃତ୍ତି କୁ ଛାଡ଼ି ଅନ୍ୟ ବୃତ୍ତି କୁ ଆପଣେଇବାର ଦେଖାଦେଇଛି । ଯାହାକି ହସ୍ତତନ୍ତ ଓ ହସ୍ତକଳା ଶିଳ୍ପ ପାଇଁ ଶୁଭସଙ୍କେତ ନୁହେଁ । ତେଣୁ କରି ନଭେମ୍ବରରୁ ଡ଼ିସେମ୍ବର ମଧ୍ୟରେ ହେବାକୁ ଥିବା ହକି ବିଶ୍ୱକପ ଏହି ଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବ ବୋଲି ହସ୍ତତନ୍ତ ,ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆଶା କରାଯାଇଛି । ଏନେଇ ବିଭାଗ ପକ୍ଷରୁ ସ୍ମରଣିକା ପ୍ରସ୍ତୁତ ହେବ ।
ବିଶ୍ୱକପରେ ଯୋଗ ଦେବାକୁ ଥିବା ୧୬ ଟି ଦେଶର ଖେଳାଳୀ, ସହାୟକ ଷ୍ଟାଫ୍ , ଅଫିସିଆଲି, ଭିଆଇପି, ସେଲିବ୍ରିଟି ଓ ଅନ୍ୟ ଅତିଥିମାନଙ୍କୁ ଏହି ସ୍ମରଣିକା ଦିଆ ଯିବାର ବ୍ୟବସ୍ଥା ରହିଛି । ଇକ୍କତ,ଢୋକ୍ରା,ତାରକସି ଏବଂ ଲାଖ କାରିଗରୀ ବହୁଳ ପ୍ରଚାର ଓ ପ୍ରସାର କରାଇବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ଇକ୍କତ ହସ୍ତତନ୍ତରେ ତିଆରି ଷ୍ଟଲସ ଦେଇ ଅତିଥିଙ୍କୁ ସ୍ୱାଗତ କରିବେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖାଯାଇଥିବା ଢୋକ୍ରା କାରିଗରୀକୁ ଉପହାର ଦିଆଯିବାର ବ୍ୟବସ୍ଥା ରହିଛି । କଟକର ତାରକସୀ କାରିଗରଙ୍କ ଦ୍ୱାରା ହକି ଉତ୍ପାଦର ସୁକ୍ଷ୍ମ କାରିଗରୀ ଶୋଭା ପାଇବ । ନବରଙ୍ଗପୁରର କାରିଗରଙ୍କ ଦ୍ୱାରା ଲାଖରେ ତିଆରି ସାମଗ୍ରୀ ଖେଳାଳିଙ୍କୁ ଭେଟି ଦିଆଯିବ । ଏହି ବିଶ୍ୱସ୍ତରୀୟ ଖେଳରେ ବହୁ ବିଦେଶୀ ଯୋଗଦେଉଥିବା ବେଳେ ଆମ କାରିଗରୀକୁ ପ୍ରଚାର ଓ ପ୍ରସାର କରିବା ଦିଗରେ ବେଶ୍ ସହାୟକ ହୋବ ବୋଲି ଆଶା କରାଯାଉଛି ।