କାହିଁକି ଧର୍ମେନ୍ଦ୍ରଙ୍କ ପ୍ରାର୍ଥନା ସଭାରେ ଉପସ୍ଥିତ ନଥିଲେ ହେମା, କହିଲେ କାରଣ…

ମୁମ୍ବାଇ: ୯୦ ତମ ଜନ୍ମଦିନର କିଛି ଦିନ ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବଲିଉଡ ଅଭିନେତା ଧର୍ମେନ୍ଦ୍ର । ଇତି ମଧ୍ୟରେ ତାଙ୍କ ଦେହାନ୍ତର ଏକ ମାସରୁ ଅଧିକ ସମୟ ବିତିଗଲାଣି । ବାର୍ଦ୍ଧକ୍ୟ ରୋଗରେ ପୀଡିତ ହୋଇ ଗତ ନଭେମ୍ବର ୨୪ରେ ଆଖି ବୁଜିଥିଲେ ଧର୍ମେନ୍ଦ୍ର । ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ଦେଓଲ ପରିବାର ଏବଂ ହେମା ମାଳିନୀଙ୍କ ଦ୍ୱାରା ଆୟୋଜିତ ପୃଥକ ପ୍ରାର୍ଥନା ସଭା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ନିକଟରେ ଏକ ସାକ୍ଷାତକାରରେ, ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ସହିତ ବିତାଇଥିବା କିଛି ସବୁଠାରୁ ପ୍ରିୟ ମୁହୂର୍ତ୍ତ ଏବଂ ଧର୍ମେନ୍ଦ୍ରଙ୍କ ସ୍ମୃତିରେ ପୃଥକ ପ୍ରାର୍ଥନା ସଭା ବିଷୟରେ ଖୋଲାଖୋଲି କହିଥିଲେ । ସନ୍ନି, ବବି ଏବଂ ସେମାନଙ୍କ ପରିବାର ଦ୍ୱାରା ଆୟୋଜିତ ପ୍ରାର୍ଥନା ସଭାରେ ସେ ଏବଂ ତାଙ୍କ ଝିଅମାନେ କାହିଁକି ଉପସ୍ଥିତ ନଥିଲେ ସେ ବିଷୟରେ ଚାଲିଥିବା କଳ୍ପନାଜଳ୍ପନାର ଉତ୍ତର ଦେବାକୁ ଯାଇ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ, “ୟେ ହମାରେ ଘର କା ବ୍ୟକ୍ତିଗତ ବିଷୟ ହୈ” (ଏହା ଆମର ଘରର ବ୍ୟକ୍ତିଗତ ବିଷୟ) କହିଥିଲେ କଥାକୁ ଟାଳିଥିଲେ ।

ହେମା ମାଲିନୀ ଏହା ମଧ୍ୟ କହିଛନ୍ତି, “ଆମେ ପରସ୍ପର ସହିତ କଥା ହୋଇଥିଲୁ । ମୁଁ ମୋ ଘରେ ଗୋଟିଏ ପ୍ରାର୍ଥନା ସଭା କରିଥିଲି କାରଣ ମୋର ଗୋଷ୍ଠୀର ଲୋକମାନେ ଭିନ୍ନ । ତା’ପରେ, ମୁଁ ଦିଲ୍ଲୀରେ ଗୋଟିଏ ରଖିଥିଲି କାରଣ ମୁଁ ରାଜନୀତିରେ ଅଛି, ଏବଂ ସେହି କ୍ଷେତ୍ରର ମୋର ବନ୍ଧୁମାନଙ୍କ ପାଇଁ ସେଠାରେ ଏକ ପ୍ରାର୍ଥନା ସଭା କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ମଥୁରା ମୋର ନିର୍ବାଚନମଣ୍ଡଳୀ, ଏବଂ ସେଠାକାର ଲୋକମାନେ ତାଙ୍କ ପାଇଁ ପାଗଳ । ତେଣୁ, ମୁଁ ସେଠାରେ ମଧ୍ୟ ଏକ ପ୍ରାର୍ଥନା ସଭା କରିଥିଲି । ମୁଁ ଯାହା କରିଛି ସେଥିରେ ମୁଁ ଖୁସି ।”