ବାଘ ଛାଲ କାରବାର ଘଟଣାରେ ଚାରି ଅଭିଯୁକ୍ତ ଗିରଫ

ଗଜପତି ଜିଲ୍ଲାରେ କଲରାପତରିଆ ବାଘ ଛାଲ ବେଆଇନ କାରବାର ଘଟଣାରେ ମୋହନା ବନ ବିଭାଗ ପକ୍ଷରୁ ଆଉ ଚାରିଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ମୋହନା ବନାଞ୍ଚଳର ପାଣିଗଣ୍ଡା ବିଟ୍ ଅଧୀନ ତୁଳସୀନଗର ଗାଁରେ ବେଆଇନ ବାଘ ଛାଲ କାରବାର ଚାଲିଥିବା ଖବର ପାଇ ବନ ବିଭାଗ ଚଢ଼ାଉ କରିଥିଲା। ଏହି ସମୟରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଚାରିଜଣଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ପାଣିଗଣ୍ଡା ଗାଁର ତ୍ରିଲୋଚନ ପାତ୍ର ଏବଂ କନ୍ଧମାଳ ଜିଲ୍ଲା ଦାସିଙ୍ଗବାଡ଼ି ଗାଁର ବିଜୟନନ୍ଦ ନାୟକ, ଜଗା ମଲ୍ଲିକ ଓ ଦୀପକ ନାୟକ। ସେମାନଙ୍କଠାରୁ ବାଘ ଛାଲ ସମେତ ଦୁଇଟି ମୋଟରସାଇକେଲ ଓ ତିନୋଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ଅନ୍ୟପକ୍ଷରେ, ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନରେ ବାଘ ଛାଲ ଜବତ ଘଟଣାରେ ଗତକାଲି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏବେ ମୋହନା ବନାଞ୍ଚଳରୁ ଆଉ ଚାରିଜଣ ଗିରଫ ହେବା ପରେ ଏହି ବେଆଇନ କାରବାର ପଛରେ ଥିବା ରାକେଟ୍‌କୁ ନେଇ ଚର୍ଚ୍ଚା ବଢ଼ିଛି। ତେବେ ଜବତ ବାଘ ଛାଲ କେଉଁଠାରୁ ଆସିଥିଲା ଏବଂ କେବେଠାରୁ ଏହି ବେଆଇନ କାରବାର ଚାଲିଥିଲା, ସେନେଇ ବନ ବିଭାଗର ଅଧିକ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଏହି କାରବାର ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି।