ଦିଲ୍ଲୀରେ ୫ ମହଲା କୋଠା ଭୁଶୁଡ଼ି ୫ ମୃତ, ଭଗ୍ନାବଶେଷ ତଳେ ଫସିଛନ୍ତି ଅନେକ

ଦିଲ୍ଲୀର ସତ୍ୟ ନିକେତନ ନିକଟରେ ମହଲା କୋଠା ଭୁଶୁଡ଼ିବା ଘଟଣାରେ ବଢ଼ିଚାଲିଛି ମୃତ୍ୟୁସଂଖ୍ୟା। ଏଯାଏଁ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବାବେଳେ ଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି। ତେବେ ଏବେ ବି ଅନେକ ଲୋକ ଇଟା କଂକ୍ରିଟ ତଳେ ଫସିଥିବା ଆଶଙ୍କା କରାଯାଉଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସହ ଏନ୍ଡିଆର୍ଏଫ୍ ଟିମ୍ମଧ୍ୟ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି। ଭଗ୍ନାବଶେଷକୁ ହଟାଇ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଜୋରଦାର ଅଭିଯାନ ଚାଲିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଆହୁରି ୩୦ରୁ ୪୦ ଜଣ ଭଗ୍ନାବଶେଷ ତଳେ ଫସିଥାଇପାରନ୍ତି।

ଏପଟେ ଭଗ୍ନାବଶେଷ ଭିତରୁ କିଛି ଯୁବକ ମୋବାଇଲ୍ଫୋନ୍ରେ ଭିଡିଓ କରିବା ସହ ଫୋନ୍କଲ୍ଜରିଆରେ ଉଦ୍ଧାର ପାଇଁ ନିବେଦନ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଫଳରେ ଉଦ୍ଧାରକାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ୫୦ ବର୍ଷ ପୁରୁଣା ଏହି କୋଠାର ତଳ ମହଲାରେ କିଛି ନିର୍ମାଣ କାମ ଚାଲିଥିଲା। ଏହି ସମୟରେ ହଠାତ୍କୋଠାଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। କୋଠାରେ ହଷ୍ଟେଲ ଚାଲୁଥିବାରୁ ଏଥିରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଆଶଙ୍କା କରାଯାଉଛି।

ଘଟଣାସ୍ଥଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆହତମାନଙ୍କୁ ମେଡିକାଲରେ ଭେଟିବା ସହ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। କୋଠା ଭୁଶୁଡ଼ିବା ପଛରେ ଯିଏ ଦୋଷୀ ହୋଇଥାଉ ନା କାହିଁକି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସେପଟେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତା ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି।