(ସୌମ୍ୟ ରଂଜନ ସେଠୀ): ଗତକାଲି ଠାରୁ ଆରମ୍ଭ ହୋଇଛି ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ । ଯେଉଁ ଆନ୍ଦୋଳନ ସାଧାରଣ ଲୋକଙ୍କ ପାଇଁ ବିପଦ ଆଣିଛି । ନିଆଁ ଲିଭା କାମ ହେଉ କି ଉଦ୍ଧାର କାର୍ଯ୍ୟ ହେଉନାହିଁ । କୌଣସି ପରିସ୍ଥିତରେ ମଧ୍ୟ କର୍ମଚାରୀମାନେ ସହଯୋଗ କରୁନାହାନ୍ତି । ଜିଦ୍ ପାଇଁ କେଉଁଠି ଜଳି ଯାଉଛି ଘର ଆଉ କେଉଁଠି ଚାଲି ଯାଉଛି ନିଷ୍ପାପ ଶିଶୁର ଜୀବନ । ହେଲେ ଆନ୍ଦୋଳନକାରୀ ନିଜ ଜିଦ୍ରେ ଅଟଳ । ଗୋଟିଏ ପଟେ ହୁ ହୁ ହୋଇ ଜଳୁଛି ନିଆଁ । ଆଉ ଅନ୍ୟ ପଟେ ଆନ୍ଦୋଳନକାରୀ ନାରାବାଜି କରିବାରେ ବ୍ୟସ୍ତ । ଗତକାଲି ଏଭଳି ଘଟଣା ଘଟିଥିଲା ନୟଗାଡ ଦଶପଲ୍ଲା ସହରଠାରୁ ମାତ୍ର ୨ କିଲୋମିଟର ଦୂର ଶ୍ରୀରାମପୁର ଗାଁରେ । ୮ ବଖରା ଘର ପୋଡିସାରିବା ପରେ ଶେଷରେ ନିଜ ଉଦ୍ୟମରେ ନିଆଁକୁ ଆୟତ କଲେ ଗାଁ ଲୋକେ । ରାତି ୧୨ ଟାରେ ଗାଁର ଦୁଲୁ ସାହୁଙ୍କ ଘରୁ ଏହି ନିଆଁ ବାହାରି ୬ ପରିବାରର ୮ ବଖରା ଘର ଭଷ୍ମ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଛି । ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ତେବେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ରାଜନେତା ସାମ୍ବାଦିକ ସମସ୍ତେ ଫୋନ କରିଥିବା ସତ୍ୱେ ଦମକଳ ନ ଆସିବାରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଧର୍ମଘଟ ଆଳରେ ବିପଦ ସମୟରେ କର୍ମଚାରୀମାନେ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରିଥିବାରୁ ଆସନ୍ତା ୨୬ ତାରିଖରେ ଆନ୍ଦୋଳନ କରିବାକୁ ଗାଁ ଲୋକେ ଚେତାବନୀ ଦେଇଛନ୍ତି ।
ସେପଟେ ଛଅ ଦଫା ଦାବି ପୂରଣ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ ମାନେ । ଓଡିଶା ଅଗ୍ନିଶମ କର୍ମଚାରୀଙ୍କୁ ଓଡ଼ିଶା ପୋଲିସଙ୍କ ସହ ସମାନ ଦରମା ଓ ଭତା ପ୍ରଦାନ, ୮ ଘଣ୍ଟା ଡ୍ୟୁଟି ପ୍ରଦାନ, ଖାଲି ପଦବୀ ପୂରଣ, ଠିକା ବ୍ୟବସ୍ଥା ଉଚ୍ଛେଦ, ସଂଘକୁ ସରକାରୀ ପଞ୍ଜିକରଣ ଭଳି ଦାବି ହୋଇଛି ।