ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା ସାମ୍ନାକୁ ଆସିବା ସହ କରୋନା ସଂକ୍ରମଣ ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରପାଣ୍ଡିଆନଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୬ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ ୧୨ ଜଣ କୋଭିଡ୍ରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନେ ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନି ରୋଗ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ । ଆନ୍ଧ୍ରପ୍ରଦେଶରେ ଦୀର୍ଘ ୪ ବର୍ଷ ପରେ କରୋନା ଜନିତ ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଗତ ଜୁନ ୨୮ ତାରିଖରେ ସିଏମସି (CMC) ଭେଲୋରରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ପ୍ରଥମେ ତିରୁପତିର SVIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଭେଲୋର ସ୍ଥାନାନ୍ତର କରାଯାଇଥିଲା, ଯେଉଁଠି RT-PCR ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଥିଲା।
)
ଅନ୍ୟ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଛାତିର ସିଟି ସ୍କାନ (CT Scan) ରିପୋର୍ଟରୁ କରୋନା ସଂକ୍ରମଣ ବିଷୟରେ ଜଣାପଡ଼ିଥିଲା।ରାଜ୍ୟରେ ସର୍ବାଧିକ ୮ଟି ମାମଲା କଡ଼ପା ଜିଲ୍ଲାରୁ ଆସିଛି । ଏହାଛଡ଼ା ଗୁଣ୍ଟୁରରୁ ୨ଟି, ବିଶାଖାପାଟଣା ଓ କାକିନାଡାରୁ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି, ଏହି ମାମଲାଗୁଡ଼ିକ ଭିନ୍ନ ଭିନ୍ନ ଅଞ୍ଚଳରୁ ଆସିଥିବାରୁ କୌଣସି ଗୋଷ୍ଠୀ ସଂକ୍ରମଣର ସୂଚନା ମିଳିନାହିଁ । ବର୍ତ୍ତମାନ ୩ ଜଣ ଘରେ ଆଇସୋଲେସନରେ, ୨ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।