ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ସମସ୍ତ ଦେଶବାସୀ, ଓଡ଼ିଶାବାସୀ ଏବଂ ବିଶ୍ୱବ୍ୟାପୀ ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ଟୁଇଟ୍ କରି ରାଷ୍ଟ୍ରପତି କହିଛନ୍ତି “ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଦେଶବିଦେଶରେ ରହୁଥିବା ଶ୍ରୀଜଗନ୍ନାଥଙ୍କ ଭକ୍ତଗଣଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଅଛି ।
ରାଷ୍ଟ୍ରପତି ନିଜ ବାର୍ତ୍ତାରେ କହିଛନ୍ତି ଯେ, ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କର ଏକ ଅଦ୍ୱିତୀୟ ପ୍ରତୀକ। ଏହି ମହାପର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଗିନୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହିତ ରଥାରୂଢ଼ ହୋଇ ଭକ୍ତମାନଙ୍କ ସହିତ ମିଳିତ ହୁଅନ୍ତି । ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ଵରେ ବିରଳ । ଏହି ଶୁଭ ଅବସରରେ ଦେଶ ଓ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି ।