ଗାଈ ପାଇଁ ତୁମୁଳକାଣ୍ଡ । ଆଉ ଶେଷରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ଋଣ ସୁଝିବା ପାଇଁ ଗାଈ ବିକିବାକୁ ଚାହୁଁଥିଲେ ସ୍ୱାମୀ। ହେଲେ ସ୍ତ୍ରୀଙ୍କ ବିରୋଧ ପରେ ରାଗରେ ଅନ୍ଧ ହୋଇ ତାଙ୍କ ଉପରେ ପିକ୍ଅପ୍ ଗାଡ଼ି ଚଢ଼ାଇଦେଲେ। ରାଜସ୍ଥାନର ସିକର ଜିଲ୍ଲା କୋଲିଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଅଭିଯୁକ୍ତଜଣଙ୍କ ହେଲେ ୫୬ ବର୍ଷୀୟ ଚୁନ୍ନିଲାଲ କୁମାୱତ । ମୃତ ମହିଳା ହେଉଛନ୍ତି ତାଙ୍କ ୫୨ ବର୍ଷୀୟ ସ୍ତ୍ରୀ ଚୁଙ୍କି ଦେବୀ।
ପ୍ରାଥମିକ ତଦନ୍ତ ଅନୁସାରେ, ଚୁନ୍ନିଲାଲଙ୍କ ଉପରେ ପ୍ରାୟ ୧୫ ଲକ୍ଷ ଟଙ୍କାର ଋଣ ଥିଲା। ଏହାକୁ ସୁଝିବା ପାଇଁ ସେ ଗାଈ ବିକିବାକୁ ଚାହୁଁଥିଲେ, କିନ୍ତୁ ସ୍ତ୍ରୀ ଏଥିରେ ରାଜି ହୋଇନଥିଲେ। ଏହାକୁ ନେଇ ଝଗଡ଼ା ପରେ ଚୁନ୍ନିଲାଲ ନିଜ ପିକ୍ଅପ୍ ଗାଡ଼ିରେ ସ୍ତ୍ରୀଙ୍କୁ ପ୍ରାୟ ୧୦୦ ମିଟର ଦୂରରେ ଧକ୍କା ଦେଇ ଚଢ଼ାଇଦେଇଥିବା ପୋଲିସ କହିଛି। ଘଟଣା ପରେ ସେ ନିଜେ ଥାନାକୁ ଯାଇ ଅପରାଧ ସ୍ୱୀକାର କରିଥିଲେ। ପୋଲିସ ତାଙ୍କୁ ଅଟକ ରଖିଛି ଏବଂ ଡାକ୍ତରୀ ପରୀକ୍ଷା ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।