ସହରୀକରଣର ଦ୍ରୁତ ଗତି ସହ ବଢ଼ିଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ଏହା କେବଳ ସହରର ପରିମଳ ଓ ପରିବେଶ ପାଇଁ ନୁହେଁ, ବରଂ ଜନସ୍ୱାସ୍ଥ୍ୟ ଓ ଜନସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ଆହ୍ୱାନ ପାଲଟିଛି। ଏଭଳି ସ୍ଥିତିରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ସହ ସେମାନଙ୍କ ସୁରକ୍ଷା ଓ ରେବିସ୍ ରୋଗର ମୁକାବିଲା ଦିଗରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍ସି)ର ପଦକ୍ଷେପ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ରେବିସ୍ ଟିକାକରଣ ଅଭିଯାନରେ ମାତ୍ର ୨୮୮ଦିନ ମଧ୍ୟରେ ୩୫୧୦ଟି କୁକୁରଙ୍କ ବନ୍ଧ୍ୟାକରଣ ସମ୍ପନ୍ନ ହୋଇଛି। ଏଥିମଧ୍ୟରେ ୧୮୮୦ଟି ଅଣ୍ଡିରା ଓ ୧୬୩୦ଟି ମାଈ କୁକୁର ରହିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ୬୬ପ୍ରତିଶତ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଥିବାରୁ ଅଭିଯାନର ଅଗ୍ରଗତିକୁ ନେଇ ଆଶା ସଞ୍ଚାର ହୋଇଛି। ବିଇଏମ୍ସି ସୂତ୍ରରୁ ଜଣାପଡ଼ିଛି ଯେ, ବନ୍ଧ୍ୟାକରଣ ପରେ ପ୍ରତ୍ୟେକ କୁକୁରଙ୍କୁ ୪ରୁ ୫ ଦିନ ପର୍ଯ୍ୟନ୍ତ ପଶୁ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରଖାଯାଇଥାଏ। ଏହି ସମୟରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା, ଔଷଧ ଓ ଯତ୍ନ ଯୋଗାଇ ଦିଆଯାଏ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଯେଉଁ ସ୍ଥାନରୁ ସେମାନଙ୍କୁ ଧରାଯାଇଥାଏ, ସେହି ସ୍ଥାନରେ ପୁନର୍ବାର ଛାଡ଼ି ଦିଆଯାଏ। ଏହି ବ୍ୟବସ୍ଥା ମାଧ୍ୟମରେ କୁକୁରଙ୍କ ପ୍ରତି ମାନବିକ ଆଚରଣ ସୁନିଶ୍ଚିତ କରିବା ସହ ସହରର ପରିବେଶ ଓ ଜୈବିକ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।
ପୂର୍ବ ସର୍ଭେ ଅନୁଯାୟୀ, ବ୍ରହ୍ମପୁର ସହରରେ ପ୍ରାୟ ୫,୩୦୦ରୁ ଅଧିକ ବୁଲା କୁକୁର ଥିବା ଆକଳନ କରାଯାଇଛି। ଏହି ସମସ୍ତ କୁକୁରଙ୍କ ବନ୍ଧ୍ୟାକରଣ ଏକ ବର୍ଷ ମଧ୍ୟରେ ଶେଷ କରିବାକୁ ବିଇଏମ୍ସି ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନର ଅଗ୍ରଗତିକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି। ଏ ସମ୍ପର୍କରେ ମେୟର ସଂଘମିତ୍ରା ଦଳେଇ କହିଛନ୍ତି ଯେ, ବୁଲା କୁକୁରଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ବୈଜ୍ଞାନିକ ଓ ମାନବିକ ପଦ୍ଧତିରେ ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ହିଁ ଏହି ସମସ୍ୟାର ସ୍ଥାୟୀ ସମାଧାନ। ଏଥିପାଇଁ ବନ୍ଧ୍ୟାକରଣ ଓ ରେବିସ୍ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି।
ସେହିପରି ବିଇଏମ୍ସି କମିଶନର ଏ. ଶସ୍ୟା ରେଡ୍ଡୀ କହିଛନ୍ତି ଯେ, ବନ୍ଧ୍ୟାକରଣ ଓ ରେବିସ୍ ଟିକାକରଣ କେବଳ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣରେ ସୀମିତ ନୁହେଁ; ଏହା ଜନସ୍ୱାସ୍ଥ୍ୟର ସୁରକ୍ଷା ସହ ମଣିଷ ଓ ପଶୁଙ୍କ ମଧ୍ୟରେ ସୁସ୍ଥ ସହାବସ୍ଥାନ ସୃଷ୍ଟି କରିବାର ଏକ ଫଳପ୍ରଦ ପଦକ୍ଷେପ। ଏହି ଅଭିଯାନକୁ ସଫଳ କରିବାରେ ସହରବାସୀଙ୍କ ସଚେତନତା, ସହଯୋଗ ଓ ସକାରାତ୍ମକ ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଛନ୍ତି। ପଶୁ ଚିକିତ୍ସା ବିଶେଷଜ୍ଞ ଡ. ସତ୍ୟନାରାୟଣ କରଙ୍କ ମତରେ, ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ରେବିସ୍ ସଂକ୍ରମଣ ରୋକିବା ପାଇଁ ବନ୍ଧ୍ୟାକରଣ ଏବଂ ଟିକାକରଣ ହେଉଛି ସବୁଠାରୁ ବୈଜ୍ଞାନିକ, ମାନବିକ ଓ ଦୀର୍ଘସ୍ଥାୟୀ ପଦ୍ଧତି। ଏହାଦ୍ୱାରା ଗୋଟିଏ ପଟେ କୁକୁରଙ୍କ ବଂଶବୃଦ୍ଧି ନିୟନ୍ତ୍ରିତ ହୋଇଥାଏ, ଅନ୍ୟପଟେ ରେବିସ୍ ସଂକ୍ରମଣର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ତେଣୁ ବିଇଏମ୍ସିର ଏହି ପଦକ୍ଷେପ ଜନସ୍ୱାସ୍ଥ୍ୟ ସୁରକ୍ଷା, ପ୍ରାଣୀ କଲ୍ୟାଣ ଓ ଏକ ସୁରକ୍ଷିତ ସହର ଗଠନ ଦିଗରେ ଏକ ପ୍ରଶଂସନୀୟ ପ୍ରୟାସ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ବନ୍ଧ୍ୟାକରଣ କେନ୍ଦ୍ରର କାର୍ଯ୍ୟପ୍ରଣାଳୀ ଓ ବ୍ୟବସ୍ଥାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର କମିଟି ପକ୍ଷରୁ କେନ୍ଦ୍ର ପରିଦର୍ଶନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ. ଅଞ୍ଜନ ଦାସଙ୍କ ସମେତ ଡ. ଭବାନୀ ଶଙ୍କର ଶତପଥୀ, ଡ. ସତ୍ୟନାରାୟଣ କର, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ଆସିଷ୍ଟାଣ୍ଟ କମିଶନର ବିଭୂ ପ୍ରସାଦ ମହାପାତ୍ର, ପଶୁପ୍ରେମୀ ଶୀତଲ ପୂର୍ଣିମା ଓ ରାଜ୍ୟ ପଶୁ କଲ୍ୟାଣ ବୋର୍ଡର ପ୍ରତିନିଧି ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
ଏହି ଯାଞ୍ଚ ସମୟରେ ବନ୍ଧ୍ୟାକରଣ ପ୍ରକ୍ରିୟାରେ ବାହାର କରାଯାଉଥିବା ଅଙ୍ଗପ୍ରତ୍ୟଙ୍ଗକୁ ନିର୍ଦ୍ଧାରିତ ଜୈବ-ଚିକିତ୍ସା ବର୍ଜ୍ୟ ପରିଚାଳନା ନିୟମ ଅନୁଯାୟୀ ପୋତାଯାଉଥିବା କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ସହ ସେମାନଙ୍କ ପ୍ରତି ମାନବିକ ଆଚରଣ, ରୋଗ ପ୍ରତିରୋଧ ଓ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଏକାଠି ଗୁରୁତ୍ୱ ଦେଉଥିବା ବିଇଏମ୍ସିର ଏହି ଅଭିଯାନ ସହର ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଦେଇଛି।