କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କରକୁ ଏନ୍‌କାଉଣ୍ଟର

କଟକ : ପୁଣି ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍‌। କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ଏନ୍‌କାଉଣ୍ଟର | ଶଙ୍କରର ବାମ ଗୋଡରେ ବାଜିଛି ଗୁଳି ଏବଂ SCBରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଗୁଳି ସହ ଗୋଟିଏ ଅଟୋକୁ ପୋଲିସ୍‌ ଜଵତ କରିଛି | ଶଙ୍କରର ଘର ରାଣୀହାଟ ଗୋପାଳ ସାହିରେ।

୨୦୧୪ ମସିହା ନଭେମ୍ବର ୧୧ ତାରିଖରେ ଘଟିଥିବା ଫାରୁକ ହତ୍ୟାଘଟଣାର ଅଭିଯୁକ୍ତ ହେଉଛି ଶଙ୍କର। ରାଣୀହାଟ ଗୋପାଳ ସାହି ବାସିନ୍ଦା ଶଙ୍କର ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କ ସାର୍ପସୁଟର୍ ଭାବେ ପରିଚିତ। ଘଟଣାର ୭ ବର୍ଷପରେ ଅର୍ଥାତ୍‌ ୨୦୨୧ ସେପ୍ଟେମ୍ବର ୧ ତାରିଖରେ ମାଲଗୋଦାମ ଥାନା ପୁଲିସ ଶଙ୍କରକୁ ଗିରଫ କରିଥିଲା। ଗିରଫ ପରେ ତାକୁ ଚୌଦ୍ବାର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ, ଜେଲ୍‌ରୁ ଫେରିବା ପରେ ପୁଣି ବନ୍ଧୁକ କାରବାର ଭଳି ଅପରାଧିକ କାର୍ଯ୍ୟକଳାପରେ ଶଙ୍କରର ସମ୍ପୃକ୍ତି ସାମ୍‌ନାକୁ ଆସିଥିଲା। ଗୁରୁବାର ରାତି ପ୍ରାୟ ୮ଟା ୩୦ ବେଳେ ସେ ଭୁଆଶୁଣି ପଠା ନିକଟ ରାସ୍ତାରେ ଏକ ଅଟୋରେ ବନ୍ଧୁକ ବିକ୍ରି କରିବାକୁ ଯାଇଥିବା ନେଇ ପୁଲିସ ଖବର ପାଇଥିଲା।

ଉଭୟ ବିଡ଼ାନାସୀ ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ ଟିମ୍ ତାକୁ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ସେ ପଡ଼ିଆ ଭିତରକୁ ଚାଲିଯାଇଥିଲା। ସେଠାରେ ପୁଲିସ ସହିତ ଶଙ୍କରର ମୁହାମୁଁହି ହୋଇଥିଲା। ଶଙ୍କର ସେଠାରେ ପ୍ରଥମେ ପୁଲିସ ଉପରକୁ ଦୁଇରାଉଣ୍ଡ ଗୁଳିଚାଳନା କରିଥିଲା। ଜୀବନ ବଞ୍ଚାଇବାକୁ ଯାଇ ପୁଲିସ ସର୍ଭିସ ପିସ୍ତଲରୁ ପାଲଟା ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲା। ପୁଲିସ ଗୁଳି ଶଙ୍କରର ବାମଗୋଡ଼ର ଆଣ୍ଠୁରେ ବାଜିବାରୁ ସେ ସେଠାରେ ପଡ଼ିଯାଇଥିଲା।