ଜି. ଉଦୟଗିରି (ମୃତ୍ୟୁଞ୍ଜୟ ଦିଗାଲ) : କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ଠାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ରେ ହୃଦ୍ଘାତ ହେବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ତେବେ ରାସ୍ତାକଡ଼ ବାଡ଼ାରେ ପିଟି ହୋଇ ରହିଯିବାରୁ ବସ୍ଟି ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ପାବୁରିଆଠାରୁ ଜି. ଉଦୟଗିରି ରାସ୍ତାର ମାତ୍ର ୩ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ମା’ ଲକ୍ଷ୍ମୀ ବସ୍ ଚାଳକ ସନା ପ୍ରଧାନ (୫୨) ସାରଙ୍ଗଗଡ଼ରୁ ବସ୍ ଠିକ୍ ଭାବେ ଚଳାଇ ଆସୁଥିଲେ। କିନ୍ତୁ ପାବୁରିଆ ପରେ ତାଙ୍କ ଗାଡ଼ି ଚାଳନାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ହେଲପର୍ କାଳିଆ ଜାଣିପାରିଥିଲେ। ଏହି ସମୟରେ ଡ୍ରାଇଭର ସନାଙ୍କୁ ହୃଦ୍ଘାତ ହୋଇଥିଲା। ଏଥିରେ ତାଙ୍କ ଜୀବନ ଚାଲିଯାଇଥିଲା। ସୌଭାଗ୍ୟବଶତଃ ବସ୍ଟି ଚାଳକବିହୀନ ହୋଇଯାଇଥିଲେ ହେଁ ରାସ୍ତାକଡ଼ ବାଡ଼ରେ ବାଡ଼େଇ ହୋଇ ଅଟକି ଯାଇଥିଲା। ଫଳରେ ବସ୍ଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ୧୦୮ ଆମ୍ୱୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ସନାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ।