ମକାରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ

(ରିପୋର୍ଟସ ଟୁଡ଼େ): ମକା ପୋଡ଼ା ହେଉ ବା ସିଝା ଉଭୟ ପାଟିକୁ ଖୁବ୍ ସ୍ୱାଦିଷ୍ଟ ଲାଗିଥାଏ। ପାଟିକୁ ସ୍ୱାଦିଷ୍ଟ ଲାଗୁଥିବା ମକା ଯେ କେବଳ ଖାଇବାକୁ ଭଲ ଲାଗେ ତାହା ନୁହେଁ, ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ଆସନ୍ତୁ ଜାଣିବା ମକା ଖାଇଲେ କ’ଣ କଣ ଉପକାର ମିଳିଥାଏ।

୧- ମକାରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ତ୍ୱଚାକୁ କୋମଳ ଓ ଅଧିକ ସମୟ ଯାଏଁ ଉଜ୍ଜଳ ରଖିଥାଏ। ମକା ମଞ୍ଜିରେ ବିଟା କ୍ୟାରୋଟିନ୍ ରହିଥାଏ। ଯାହା ଆମ ଶରୀରରେ ଭିଟାମିନ୍ ଏ’ ତିଆରି କରିଥାଏ। ଏଥିଯୋଗୁଁ ଆମ ଚର୍ମ ଉପରେ ଭଲ ପ୍ରଭାବ ପକାଇଥାଏ। ମକା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

୨- ଗର୍ଭବତୀ ମହିଳାଙ୍କ ପାଇଁ ମକା ଏକ ଉତ୍ତମ ଖାଦ୍ୟ। ଏଥିରେ ଫୋଲିକ୍ ଏସିଡ୍ ଭରପୂର ମାତ୍ରାରେ ଥିବାରୁ ଗର୍ଭସ୍ଥ ଶିଶୁକୁ ପୋଷଣ ଯୋଗାଇଥାଏ। ମକାରେ ଭିଟାମିନ୍, ମିନେରାଲ୍ସ, ଜରୁରୀ ଆଣ୍ଟିଅକ୍ସିଡାଣ୍ଟସ୍ ଓ ଫାଇବର ଥାଏ, ଯାହା ଭୟଙ୍କର ରୋଗରୁ ରକ୍ଷା ଦେଇଥାଏ।

୩- ଏନିମିଆରୁ ରକ୍ଷା କରେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ମକାରେ ଆଇରନ୍ ରହୁଥିବାରୁ ଏହା ଆମ ଶରୀରରେ ଲୋହିତ ରକ୍ତ କଣିକା ପ୍ରସ୍ତୁତ କରିଥାଏ।
୪- ମକା ହୃଦ୍ରୋଗରୁ ରକ୍ଷାକରେ। ମକା ଖାଉଥିବା ବ୍ୟକ୍ତିର ହୃଦ୍ରୋଗ ହେବାର ସମ୍ଭାବନା କମ୍ ଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ମକାରେ ଥିବା ତୈଳାକ୍ତ ଅଂଶ ଶରୀରରୁ ବ୍ୟାଡ୍ କୋଲେଷ୍ଟ୍ରଲ୍ ହଟାଇଦେଇଥାଏ।

୫- କ୍ୟାନସର୍ ଆଶଙ୍କା ଦୂର କରେ। ମକାରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହା ଶରୀରରେ କ୍ୟାନ୍ସର୍ ସେଲ୍ ତିଆରି କରିବାକୁ ଦିଏ ନାହିଁ। ମିଠା ମକା ସିଝାଇ ଖାଇଲେ ଏହାର ଗୁଣ ଅଧିକ ବଢ଼ିଯାଏ। ଏଥିରେ ଫେରୁଲିକ୍ ଏସିଡ୍ ନାମରେ ଏକ ତତ୍ତ୍ୱ ଥାଏ ଯାହା ସ୍ତନ କର୍କଟ, ଲିଭର କର୍କଟ ଓ ଟ୍ୟୁମର ଆଦି ରୋଗରେ ଉପଶମ କରିଥାଏ।