ବିଜେଡିର ତିନି ଦିନିଆ ପ୍ରତିବାଦ,ପ୍ରତିବାଦ ନୁହେଁ ନାଟକ : କଂଗ୍ରେସ

(ରିପୋର୍ଟସ ଟୁଡେ) ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ପ୍ରତାରଣା କରି ଆସିଛନ୍ତି। ଯୁବକଯୁବତୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିଶ୍ୱାସଘାତକତାକୁ ଖୋଦ ମୁଖ୍ୟ ସଚିବ ଧରାପକାଇ ଦେଇଛନ୍ତି। ନିଜର ବିଫଳତା ଲୁଚାଇବା ଓ ଭାବମୂର୍ତ୍ତି ବଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ୩ଦିନିଆ ବିକ୍ଷୋଭ ଓ ପ୍ରତିବାଦ ଏକ ଡ୍ରାମା ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି। ଏହା ସହିତ ବିଜେଡିକୁ ମଧ୍ୟ କଂଗ୍ରେସ ପକ୍ଷରୁ ୬ଟି ପ୍ରଶ୍ନ କରାଯାଇଛି।

ପିସିସି ମୁଖ୍ୟାଳୟରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନବୀନ ହେଉଛନ୍ତି ଏକ ନମ୍ବର ପ୍ରତାରକ ଓ ବିଶ୍ୱାସଘାତକ। ୨୦୧୪ ମସିହା ସାଧାରଣ ନିର୍ବାଚନ ପରେ ବିଜେଡି ସରକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହେବା ପରେ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଗତ ୫ ତାରିଖରୁ କେନ୍ଦ୍ର ସରକାର ବିରୋଧରେ ତିନି ଦିନିଆ ପ୍ରତିବାଦ ନାଟକ ଚଳାଇଛି।