ଜମାଟଙ୍କା ଦୁଇ ଗୁଣା କରିଦେବା କହି ୫କୋଟିରୁ ଉର୍ଦ୍ଧ ଟଙ୍କା ହଡ଼ପ ଅଭିଯୋଗରେ ଡାଟମ୍ ଚିଟଫଣ୍ଡ ସଂସ୍ଥାର ଏମଡ଼ି ଫଓ ତାଙ୍କ ପତ୍ନୀ ଗିରଫ

(ରିପୋର୍ଟସ ଟୁଡ଼େ): ପୁଣି ନଜରକୁ ଆସିଲା ଚିଟଫଣ୍ଡ ଠକେଇ । ଜମାକରୀଙ୍କ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଡାଟମ୍ ପ୍ରାଇଭେଟ୍ ଲିମିଟେଡ୍ ଚିଟଫଣ୍ଡ ସଂସ୍ଥାର ଏମଡ଼ି ବ୍ରଜମୋହନ ପଟ୍ଟନାୟକ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି । ଜମାକରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଜମା ଟଙ୍କା ଦୁଇ ଗୁଣା କରିଦେବେ । ଏମିତି ୬ବର୍ଷ ଭିତରେ ଜମାକରୀଙ୍କ ଠାରୁ ୫କୋଟିରୁ ଉର୍ଦ୍ଧ ଜମା ଟଙ୍କା ନେଇଥିଲେ । ହେଲେ ସମୟ ସୀମା ଭିତରେ ଲୋକଙ୍କ ଟଙ୍କା ନଫେରାଇ ତାହାକୁ ହଡ଼ପ କରି ଫେରାର ହୋଇଥିଲେ । ଫଳରେ ଅଭିଯୁକ୍ତ ଦ୍ୱୟଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଅଧିକ ପଚରାଉଚରା ପାଇଁ ପୁଲିସ ବ୍ରଜମୋହନ ଓ ପତ୍ନୀଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ କରିବ ବୋଲି ଯୋଜନା ଚଳାଇଛି ।

ସୂଚନା ଅନୁଯାୟୀ, ୨୦୦୮ ମସିହାରେ ବ୍ରଜମୋହନ ଡାଟମ୍ ଚିଟଫଣ୍ଡ ସଂସ୍ଥାର ମୁଖ୍ୟ କାର୍ୟ୍ୟାଳୟ ଗୋଳନ୍ଥରା ଥାନା ଅଧିନ କନିସି ହାଟରେ ଖୋଲିଥିଲେ । ଖାଲି ଏତିକି ନୁହେଁ ଲୋକଙ୍କ ଠାରୁ ଜମା ଟଙ୍କା ନେବା ସହ ଏହି ଟଙ୍କା ଦୁଇଗୁଣା କରି ଦେବେ ବୋଲି ଲୋଭ ଦେଖାଇଥିଲେ । ପ୍ରଥମ କରି କିଛି ଲୋକଙ୍କୁ ସଂସ୍ଥା ଟଙ୍କା ଫେରସ୍ତ କରିଥିଲା ।

ହେଲେ ପରବର୍ତ୍ତୀ ସମୟରେ ଜମାକାରୀଙ୍କ ଠାରୁ ୫କୋଟିରୁ ଉର୍ଦ୍ଧ ଟଙ୍କା ଉଠାଇଥିଲେ । ୨୦୧୪ରେ ୪୪ଟି ଚିଟଫଣ୍ଡ ସଂସ୍ଥାର ତଦନ୍ତ ଭାର ସୁପ୍ରିମ କୋର୍ଟ ସିବିଆଇକୁ ହସ୍ତାନ୍ତର କରିବା ପରେ ଡାଟମ୍ ସଂସ୍ଥାର ଏମଡି ବ୍ରଜମୋହନ ସଂସ୍ଥା କାର୍ୟ୍ୟାଳୟରେ ତାଲା ପକାଇ କେଉଁ ଆଡ଼େ ଚମ୍ପଟ ମାରିଥିଲେ । ଜମାକାରୀ ବହୁ ଯୋଗାଯୋଗ କରିଥିଲେ ମଧ୍ୟ ସଂସ୍ଥାର ଏମଡି କିମ୍ବା ଏଜେଣ୍ଟମାନେ ଧରାଛୁଆଁ ଦେଇ ନଥିଲେ । ଉପାୟ ଶୂନ୍ୟ ହୋଇ ଜମାକାରୀମାନେ ପୁଲିସରେ ଅଭିଯୋଗ କରିଥିଲେ ।

ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ସେମାନଙ୍କ ମୋବାଇଲ ଫୋନ୍ ଟ୍ରାକିଂ କରି ଅଭିଯୁକ୍ତ ଦ୍ୱୟକୁ ଗିରଫ କରିବାରେ ସକ୍ଷମ ହୋଇଛି । ପୂର୍ବରୁ ବ୍ରହ୍ମପୁର ଜିଲ୍ଲା ପୁଲିସ ଉକ୍ତ ସଂସ୍ଥାର ଦୁଇ ଏଜେଣ୍ଟକୁ ଗିରଫ କରି ସାରିଛି । ଅନ୍ୟ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।।