ସାପ କାମୁଡ଼ାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପରିବାର ଲୋକେ ଉଭୟଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ମୃତକମାନେ ହେଲେ ସମୀର ହାରୋ (୧୦) ଏବଂ ତାଙ୍କ ଭଉଣୀ ସିରେନ୍ ହାରୋ (୭)। ରଘୁନାଥପାଲି ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଉଭୟ ଭାଇ-ଭଉଣୀ ନିଜ ପିତାମାତାଙ୍କ ସହ ରାତ୍ରିଭୋଜନ କରିବା ପରେ ଏକ ଖଟିଆରେ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ସମୀରଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ନିଜ ବାପାଙ୍କୁ ଡାକିଥିଲେ। ଏହାର କିଛି ସମୟ ପରେ ସିରେନ୍ ମଧ୍ୟ ସମାନ ଯନ୍ତ୍ରଣା ଅନୁଭବ କରିଥିଲେ।

ଉଭୟ ପିଲାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ରାଉରକେଲା ସ୍ଥିତ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛି।