ବିଜେପିରୁ ଇସ୍ତଫା ଦେଲେ ବିଜେପି ନେତା ଅମୀୟ ଦାଶ

ଭୁବନେଶ୍ୱର:  ଏକାମ୍ରର ବିଜେପି ନେତା ଅମୀୟ ଦାଶ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେବା ନେଇ ତାଙ୍କ କର୍ମିମାନେ କହିଛନ୍ତି। ୨ଥର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇଥିବା ଅମିୟ କିଛି ଦିନ ବିଜେପି ରାଜ୍ୟ ଉପସଭାପତି ରହି କାର୍ଯ୍ୟ କରିଥିଲେ। ଏବେ ପୁରୀ ଲୋକ ସେବା କ୍ଷେତ୍ରର ବିଜେପି ପ୍ରଭାରୀ ଦାୟିତ୍ବରେ ଅଛନ୍ତି। ହେଲେ ସେ ଏବେ ବିଜେପି ଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଚଳିତ ନିର୍ବାଚନ ପାଇଁ ଏକାମ୍ର ବିଧାୟକ ପ୍ରାର୍ଥି ଭାବେ ବର୍ତମାନର ଜିଲ୍ଲା ସଭାପତି ବାବୁ ସିଂ ଟିକେଟ୍‌ ପାଇଛନ୍ତି। ଏକାମ୍ରରେ ତୃତୀୟ ସ୍ଥାନରେ ରହୁଥିବା ବିଜେପି ଏବେ ମୁଖ୍ୟ ବିରୋଧୀ ହୋଇଛି। ୨୦୦୯ ମସିହାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଶତକଡ଼ା ୧୩ଭାଗ ଭୋଟ ପାଇଥିବା ବେଳେ ୨୦୧୪ରେ ଅମୀୟ ଦାଶ ଶତକଡ଼ା ୨୬ଭାଗ ଭୋଟ୍‌ ପାଇଥିଲେ। ତେ‌ବେ ୨୦୧୯ ମସିହାରେ ଅମୀୟ ଦାଶ ସଂଘଠନ କରି ବିଜେପିରୁ ଛିଡ଼ା ହେବାକୁ ସବୁ ଯୋଜନା କରିଥିଲେ। ୫ବର୍ଷ ଦିନରାତି ଏକ କରି ସଂଘଠନ କରିଥିଲେ। ହେଲେ ବାବୁ ସିଂକୁ ଦଳକୁ ଆଣି ଦଳର ନେତା ବାବୁ ସିଂଙ୍କୁ ଭୋଟ ଦେଇଥିଲେ। ଫଳରେ ଅମୀୟ ଚୁପ୍‌ ବସିଥିଲେ। ଯାହା ଫଳରେ ବିଜେଡ଼ିରୁ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହଜରେ ବିଜୟ ହୋଇଥିଲା। ଏଥର ବିଜେପି ଦଳ ପୁଣି ବାବୁ ସିଂଙ୍କୁ ଟିକେଟ୍‌ ଦେବା ପରେ ଅମୀୟ ଅସନ୍ତୋଷ ଥିବା ଜଣାପଡ଼ିଛି। ଅମୀୟ କୁହନ୍ତି ଛୋଟ ବେଳୁ ଆର୍‌ଏସ୍‌ଏସ୍‌ରେ କାମ କରି ୩୫ବର୍ଷ ରାଜ ମନ୍ଦିର ଆନ୍ଦୋଳନରେ ସାମିଲ ଥିଲୁ। ଦଳ ସକ୍ରୀୟ ନଥିବା ବେଳେ ୬ବର୍ଷ ଜିଲ୍ଲା ସଭାପତି ରହି ଦଳକୁ ମଜବୁତ୍‌ କରିବାରେ ବହୁ କାର୍ଯ୍ୟ କରାଯାଇଛି। ତେବେ ଦଳରୁ ଇସ୍ତଫା ସମ୍ପର୍କରେ ପଚାରିବାରୁ ସେ କୁହନ୍ତି ଇସ୍ତଫା ଦଳର ରାଜ୍ୟ ସଭାପତିଙ୍କୁ ପଠାଇ ଦିଆଯାଇଛି।