ଆସନ୍ତା କାଲି ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କଲେ ବାଚସ୍ପତି

(ରିପୋର୍ଟସ ଟୁଡ଼େ): ବିଧାନସଭା ଶୀତ ଅଧିବେଶନ ଆରମ୍ଭର ପ୍ରଥମ ଦିନରୁ ହିଁ ଗୃହରେ ବିଶୃଙ୍ଖଳା । ଫଳରେ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଛି । ବାଚସ୍ପତିଙ୍କ ପ୍ରଶ୍ନକାଳ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଗୃହରେ ହୋ ହାଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି। ଚାଷୀ ସମସ୍ୟା ନେଇ ଆଲୋଚନା କରିବାକୁ କଂଗ୍ରେସ ସଦସ୍ୟ ଦାବି କରି ଗୃହ ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ।

ସେପଟେ ବାଚସ୍ପତି କାଲି ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଆଜି ଗୃହ ଆରମ୍ଭରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ସାମ୍ବାଦିକ ଅଚ୍ୟୁତାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ବାତିଲ କରି ମୁଲତବି ପ୍ରସ୍ତାବ ଜରିଆରେ ଚାଷୀ ସମସ୍ୟା ଉପରେ ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିଲା। ହେଲେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାରୁ କଂଗ୍ରେସ ସଦସ୍ୟ ହୋ ହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୨ଟା ୧୪ ଯାଏ ମୁଲତବି ଘୋଷଣା କରିଥିଲେ।

ଗୃହ ମୁଲତବି ଘୋଷଣା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ମୁଲତବି ପ୍ରସ୍ତାବରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ଥିଲା। ଏଣୁ ପ୍ରଶ୍ନକାଳ ବନ୍ଦ କରି ଚାଷୀ ସମସ୍ୟା ଉପରେ ଆଲୋଚନା କରିବାକୁ ଦଳ ଦାବି କରୁଥିଲା। ଏ ପ୍ରସଙ୍ଗ ଗୁରୁତ୍ୱ ଥିବାରୁ ଚିରାଚରିତ ଆଲୋଚନାରେ ସମ୍ଭବ ନୁହଁ ଏଣୁ ଦଳ ମୁଲତବି ଆଲୋଚନା ଦାବି କରିଥିଲା ବୋଲି ସେ କହିଛନ୍ତି।