New Delhi: ଟି-୨୦ ବିଶ୍ୱକପ୍ ୨୦୨୬ର ଟାଇଟଲ୍ ଜିତି ଭାରତୀୟ ଦଳ ଇତିହାସ ରଚିଥିବା ବେଳେ, ଦଳର ତାରକା ବୋଲର ଅର୍ଶଦୀପ ସିଂହଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଇସିସିର ‘ଆଚରଣ ବିଧି’ ଉଲ୍ଲଂଘନ କରିଥିବା ଅଭିଯୋଗରେ ଅର୍ଶଦୀପଙ୍କୁ ଜରିମାନା ଦିଆଯାଇଛି। ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଘଟିଥିବା ଏକ ଘଟଣାକୁ ନେଇ ତାଙ୍କ ମ୍ୟାଚ୍ ଫିର ୧୫ ପ୍ରତିଶତ କଟାଯାଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଅର୍ଶଦୀପ ଆଇସିସି ଆଚରଣ ବିଧିର ‘ଲେଭଲ-୧’ (Article 2.9) ଉଲ୍ଲଂଘନ କରିଥିବା ଦେଖାଯାଇଛି। ଏହି ନିୟମ ଅନୁଯାୟୀ, କୌଣସି ଖେଳାଳିଙ୍କ ଦିଗରେ ଅସୁରକ୍ଷିତ କିମ୍ବା ଅନୁଚିତ ଭାବରେ ବଲ୍ ଫିଙ୍ଗିବାକୁ ଅପରାଧ ମନାଯାଏ।
![]()
ଘଟଣାଟି ନ୍ୟୁଜିଲାଣ୍ଡର ଇନିଂସର ୧୧ତମ ଓଭର ସମୟରେ ଘଟିଥିଲା। ଅର୍ଶଦୀପଙ୍କ ଫିଙ୍ଗାଯାଇଥିବା ଏକ ବଲ୍ କିୱି ବ୍ୟାଟର ଡାରିଲ୍ ମିଚେଲଙ୍କ ଶରୀରରେ ବାଜିଥିଲା। ଏହାକୁ ନେଇ କିଛି ସମୟ ପାଇଁ ମୈଦାନରେ ଉତ୍ତେଜନା ଦେଖାଦେଇଥିଲା। ତଥାପି ପରେ ଉଭୟ ଖେଳାଳି ପରସ୍ପର ସହ ହାତ ମିଳାଇ ଘଟଣାଟିକୁ ସମାଧାନ କରିଥିଲେ। ମ୍ୟାଚ୍ ପରେ ଅର୍ଶଦୀପ ନିଜେ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସେ ଡାରିଲ୍ ମିଚେଲଙ୍କୁ କ୍ଷମା ମାଗିଥିଲେ ଏବଂ ବଲଟି ଅଧିକ ରିଭର୍ସ ସୁଇଙ୍ଗ୍ ହେବାରୁ ତାଙ୍କ ଦେହରେ ବାଜିଥିଲା। ସେ ଜାଣିଶୁଣି କାହାକୁ ଆଘାତ ଦେବାକୁ ଚାହୁଁନଥିବା କଥା ମଧ୍ୟ ସ୍ପଷ୍ଟ କରିଥିଲେ। ପରେ ଉଭୟ ଖେଳାଳିଙ୍କୁ ହସଖୁସିରେ କଥା ହେଉଥିବା ମଧ୍ୟ ଦେଖାଯାଇଥିଲା।

ସୂଚନାଯୋଗ୍ୟ ଯେ, ରବିବାର ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୫୯ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହି ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅର୍ଶଦୀପ ସିଂହ ଦମଦାର ବୋଲିଂ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।