ରାଜ୍ୟରେ ଭିଜିଲାନ୍ସ ସ୍କାନରକୁ ପୁଣି ଜଣେ ଯନ୍ତ୍ରୀ ଆସିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେଶନ (ଓସିସି) ଲିମିଟେଡ୍ ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ବଡ଼ଧରଣର ଚଢ଼ାଉ ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ । ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି ।

ସର୍ଚ୍ଚ ୱାରେଣ୍ଟ ୬ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ନିମ୍ନଲିଖିତ ୭ଟି ସ୍ଥାନରେ ଏକକାଳୀନ ଘର ତଲାସି କରାଯାଉଛି । କୋରାପୁଟର ଟିକ୍ରା ସାହିରେ ଅବସ୍ଥିତ ସଞ୍ଜୟ କୁମାର କିସପଟ୍ଟାଙ୍କ ଭଡା ଘର, ମୌଜା-କୁମ୍ଭ-୧ ଉପରେ ଅବସ୍ଥିତ ଚାରି ମହଲା ବିଶିଷ୍ଟ କୋଠା, କୋରାପୁଟରେ ଅବସ୍ଥିତ ନିର୍ମାଣାଧୀନ ଆବାସିକ ଘର, ସୁନ୍ଦରଗଡ଼ ଲାହୁନିପଡ଼ାରେ ତାଙ୍କ ପୈତୃକ ଘରେ, ଭୁବନେଶ୍ୱର ଏବଂ ବଲାଙ୍ଗୀରରେ ଆବାସିକ କ୍ୱାର୍ଟର ଏବଂ ଅଫିସରେ ଚଢାଉ ଜାରି ରହିଛି ।