ନାଚୁଣୀ ଥାନାର ଏଏସଆଇଙ୍କ ବିରୋଧରେ ଲାଞ୍ଚ କାରବାର ର ସଙ୍ଗୀନ ଅଭିଯୋଗ

ଖୋର୍ଦ୍ଧା ନାଚୁଣୀ ଥାନାର ଜଣେ ଏଏସଆଇଙ୍କ ବିରୋଧରେ ଲାଞ୍ଚ କାରବାରର ସଙ୍ଗୀନ ଅଭିଯୋଗ। ଜମି ବିବାଦ ମାମଲାର ଫଇସଲା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌କୁ ଦେଖି ଟଙ୍କା ସହ ବାଇକ୍‌ରେ ଫେରାର ହୋଇଛନ୍ତି ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ। ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଗତ ୫ ଜୁଲାଇରେ ଜମି ବିବାଦକୁ ନେଇ ଉଭୟ ପକ୍ଷ ପରସ୍ପର ବିରୋଧରେ ନାଚୁଣୀ ଥାନାରେ ମାମଲା ରୁଜୁ କରିଥିଲେ। ଏହି ଦୁଇଟି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏଏସଆଇ ଅକ୍ଷୟ କୁମାର ସେଠୀ। ପରେ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ମାମଲାର ଫାଇନାଲ କରିବା ପାଇଁ ଉଭୟ ପକ୍ଷଙ୍କଠାରୁ ୫ ହଜାର ଲେଖାଏଁ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଅଭିଯୋଗକାରୀ ୧୦ ଜୁଲାଇରେ ଆଫିଡେଭିଟ୍ ସହ ୫ ହଜାର ଟଙ୍କା ନେଇ ଆସିବାକୁ କହିବା ପରେ ଏହାର ସୂଚନା ଭିଜିଲାନ୍ସକୁ ଦେଇଥିଲେ। ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ନଜର ରଖିଥିବା ବେଳେ ଏଏସଆଇ ଲାଞ୍ଚ ଟଙ୍କା ଗ୍ରହଣ କରିଥିଲେ। କିନ୍ତୁ ଭିଜିଲାନ୍ସ ଟିମ୍ ନିକଟକୁ ଆସୁଥିବା ଦେଖି ଏକ ନିଛାଟିଆ ଅନ୍ଧାର ସ୍ଥାନରୁ ବାଇକ୍‌ରେ ୫ ହଜାର ଟଙ୍କା ସହ ଫେରାର ହୋଇଯାଇଥିଲେ।

ଘଟଣା ପରେ ଅଭିଯୁକ୍ତ ଏଏସଆଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ଫେରାର ଏଏସଆଇଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।