ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଖୋଷାଲିପୁର ପୋଲ ନିକଟରେ ଏକ ହାଇୱା ଓ ସ୍କୁଟି ମଧ୍ୟରେ ଭୟାବହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହାଇୱା (OD22AE-8454) ଓ ସ୍କୁଟି (OD04V-6141) ମଧ୍ୟରେ ଧକ୍କା ହେବା ପରେ ଏହି ଅଘଟଣ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହକୁ ଜବତ କରି ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ସେଠାରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ହେବ। ମୃତକ ହେଉଛନ୍ତି ସ୍ଥାନୀୟ ଦେଉଳକୁର ଗ୍ରାମର ରବିନ୍ଦ୍ର ରଣା, ବୟସ ୬୫ ବର୍ଷ। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।