ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜାତୀୟ ରାଜପଥ ଅବରୋଧ

( ମନୋଜ କୁମାର ସାହୁ) : ରାୟଗଡା ଜିଲ୍ଳା ଚାନ୍ଦିଲି ଥାନା ଅର୍ନ୍ତଗତ ନାଇଡୁପେଟା ଓ ଭାଟିପଡା ଗ୍ରାମ ମଧ୍ୟରେ ଗୋଷ୍ଠି ବିବାଦ ଲାଗି ରହିଥିବା ବେଳେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନ ନେବା ପ୍ରତିବାଦରେ ନାଇଡୁପେଟା ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ଜେକେପୁର-ରାୟଗଡା ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଗତକାଲି ରାତ୍ର ଭାଟିପଟାର କିଛି ବ୍ୟକ୍ତି ନାଇଡୁପେଟା ପଂହଚି ଗୋଟିଏ ଦୋକାନ ସମେତ କିଛି ଘର ଭଙ୍ଗାରୁଜା କରିବା ସହ ଗ୍ରାମର ମହିଳାମାନଙ୍କୁ ଦୁର୍ବବ୍ୟହାର କରିଥିଲେ । ତେବେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ଆଣି ନାଇଡୁପେଟା ଗ୍ରାମର ଶତାଧିକ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟପଟରୁ ଶହଶହ ଗାଡିମଟର ଅଟକି ରହିଥିଲା । ଘଟଣାସ୍ଥଳରେ ଉତେଜନା ଯୋଗୁଁ ଚାନ୍ଦିଲି ପୋଲିସ ପଂହଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନର ପ୍ରତିଶୃତି ଦିଆଯିବା ପରେ ଦୀର୍ଘ ଦୁଇ ଘଣ୍ଟାର ରାସ୍ତାରୋକ ହଟିଥିଲା । ସେହିପରି ଚାନ୍ଦିଲି ଥାନାରେ ଉଭୟ ପକ୍ଷଙ୍କୁ ନେଇ ସମାଧାନ ପାଇଁ ରାୟଗଡା ଏସଡିପିଓଙ୍କ ନେତୃତ୍ୱରେ ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।