ନିଆଳୀ ମାଧବାନନ୍ଦ ଜୀଉଙ୍କ ପୀଠରେ ମାଧବା ଅନ୍ନ ପ୍ରସାଦର ଶୁଭାରମ୍ଭ

ଜଗନ୍ନାଥଙ୍କ ମାମୁଁଘର ନିଆଳୀ ମାଧବାନନ୍ଦ ଜୀଉଙ୍କ ପୀଠରେ ପ୍ରଥମ କରି ଶୁଭାରମ୍ଭ ହେଲା ମାଧବା ଅନ୍ନ ପ୍ରସାଦ । ନିଆଳି ପ୍ରାଚୀ ନଦୀ ଅବବାହିକାରେ ଅବସ୍ଥିତ ଥିବା ଏହି ମାଧବାନନ୍ଦ ଜୀଉ ମନ୍ଦିର ଜଗନ୍ନାଥଙ୍କ ମାମୁଁ ଘର ହୋଇଥିବାରୁ ପ୍ରତିଦିନ ଏଠାକୁ ବିଭିନ୍ନ ସ୍ଥାନରୁ ସହ ସହ ଭକ୍ତଙ୍କ ସୁଅ ଛୁଟିଥାଏ । ତେବେ ଆସୁଥିବା ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମାଧବା ନନ୍ଦ ଜିୟୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମଧାବା ଅନ୍ନ ପ୍ରସାଦ ଯୋଗାଇ ଦେବାପାଇଁ ଆଜି ଏହାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଶ୍ରୀ ମାଧବାନନ୍ଦଙ୍କ ପୀଠରେ ଘିଅ ଅନ୍ନ, ମିଠା ଡାଲି, ବେଶରେ, ଶାଗମୁଗ, ଖଟା, ଖିରି ଇତ୍ୟାଦି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ମାଧବା ଅନ୍ନ ପ୍ରସାଦ ବ୍ୟବସ୍ଥା ପାଇଁ ଦିର୍ଘ ଦିନରୁ ନିଆଳୀ ଅଞ୍ଚଳବାସୀ ଏବଂ ମାଧବାନନ୍ଦ ଜୀଉ ଟ୍ରଷ୍ଟ ବୋର୍ଡ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଥିଲେ । ପରେ ନିଆଳୀ ତହସିଲଦାର ତାରିଣୀ ରଞ୍ଜନ ରାୟଙ୍କ ପ୍ରଚେଷ୍ଟାରେ ଆଜି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ମାମୁଁଘର ନିଆଳୀ ମାଧବାନନ୍ଦ ଜୀଉଙ୍କ ପୀଠରେ ମାଧବା ଅନ୍ନ ପ୍ରସାଦ ବ୍ୟବସ୍ଥା ସଫଳ ହୋଇଛି । ଅପରପକ୍ଷେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ମାଧବା ଅନ୍ନ ପ୍ରସାଦ ବ୍ୟବସ୍ଥାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ପରିଲକ୍ଷିତ ହୋଇଛି !