ହୁତୀଙ୍କ ମିସାଇଲ୍ ମାଡ଼: ଥରିଲା ସାଉଦି ଆରବ

ସାଉଦି ଆକ୍ରମଣର କିଛି ଘଣ୍ଟା ପରେ ହୁତିଙ୍କ ମିସାଇଲ୍ ମାଡ଼। ସାନାର ତୈଳ କେନ୍ଦ୍ର ଉପରେ ସାଉଦି ନେତୃତ୍ୱାଧୀନ ମେଣ୍ଟର ଆକ୍ରମଣର କିଛି ଘଣ୍ଟା ପରେ ସାଉଦି ଆରବର ତୈଳ କମ୍ପାନୀ ଆରାମକୋକୁ ହୁତି ବିଦ୍ରୋହୀମାନେ ଟାର୍ଗେଟ୍ କରିଛନ୍ତି। ଏହାକୁ ନେଇ ସାଉଦି ଆରବ ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ରହିଛି।
ମଙ୍ଗଳବାର ସାଉଦି ଆରବ ପକ୍ଷରୁ ୟେମେନର ହୁତି ନିୟନ୍ତ୍ରଣରେ ଥିବା ରାଜଧାନୀ ସାନାର ଏକ ତୈଳ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିବା ହୁତି ବିଦ୍ରୋହୀ ସଂଗଠନ ଦାବି କରିଛି।
ଆକ୍ରମଣ ପୂର୍ବରୁ ସାଉଦି ନେତୃତ୍ୱାଧୀନ ମେଣ୍ଟ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କୁ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୟେମେନ ପେଟ୍ରୋଲିୟମ କମ୍ପାନୀର କେନ୍ଦ୍ର ଏବଂ ଏହା ନିକଟରେ ଥିବା ତୈଳ ଗଚ୍ଛିତ ରଖିବା ସ୍ଥାନଗୁଡ଼ିକୁ ଖାଲି କରିବାକୁ ଲୋକଙ୍କୁ କୁହାଯାଇଥିଲା। ହୁତି ସମର୍ଥିତ ଟେଲିଭିଜନ୍ ଚ୍ୟାନେଲ୍ ପକ୍ଷରୁ ଜାରି ଖବରରେ ସାନାର ପଶ୍ଚିମ ଅଞ୍ଚଳ ଅଲ୍-ସାବାହାରେ ଥିବା ତୈଳ କମ୍ପାନୀକୁ ସାଉଦି ଆକ୍ରମଣର ଟାର୍ଗେଟ୍ କରାଯାଇଥିବା ଦାବି କରାଯାଇଛି।

ଆକ୍ରମଣ ପରେ ତୈଳ କେନ୍ଦ୍ରରୁ ଘନ କଳା ଧୂଆଁ ବାହାରୁଥିବା ଏବଂ ନିଆଁ ଜଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଆକ୍ରମଣର ଶିକାର ହୋଇଥିବା ତୈଳ କମ୍ପାନୀ ପକ୍ଷରୁ କୁହାଯାଇଛି ଏହି ଘଟଣା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ତୈଳ ମହଜୁଦ ଏବଂ ଯୋଗାଣ ପ୍ରଭାବିତ ହେବ ନାହିଁ। ତୈଳ ଭଣ୍ଡାର ସୁରକ୍ଷିତ ସ୍ଥାନରେ ପର୍ୟ୍ୟାପ୍ତ ପରିମାଣରେ ରହିଛି ଏବଂ ଦୀର୍ଘ ସମୟ ପର୍ୟ୍ୟନ୍ତ ଚାହିଦା ପୂରଣ କରିପାରିବ ବୋଲି କମ୍ପାନୀ ଦାବି କରିଛି।