ରଣଜୀ ଟ୍ରଫିରେ ପୁଣି ଜମ୍ମୁ-କାଶ୍ମୀରର ଦମଦାର ପ୍ରଦର୍ଶନ । ପ୍ରଥମ ମ୍ୟାଚ୍ର ପ୍ରଥମ ଦିନରୁ ହିଁ ବୋଲିଂରେ କମାଲ୍ ଦେଖାଇଛି ଦଳ । ଘରୋଇ ପଡ଼ିଆରେ ମଧ୍ୟପ୍ରଦେଶକୁ ମାତ୍ର ୧୯୬ ରନ୍ରେ ଅଲ୍ଆଉଟ୍ କରି ଦୃଢ଼ ସ୍ଥିତିରେ ଜମ୍ମୁ-କାଶ୍ମୀର । ଆଉ ଏହି ସଫଳତାର ମୁଖ୍ୟ ନାୟକ ସାଜିଛନ୍ତି ଦ୍ରୁତ ବୋଲର ରୋହିତ ଶର୍ମା ।
ପ୍ରାୟ ଦୁଇ ବର୍ଷ ପରେ ରେଡ୍-ବଲ୍ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରି ରୋହିତ ନିଜର ଜଲୱା ଦେଖାଇଛନ୍ତି । ମାତ୍ର ୩୬ ରନ୍ ଦେଇ ହାସଲ କରିଛନ୍ତି ୫ଟି ୱିକେଟ୍ । ତାଙ୍କ ସହ ସୁନୀଲ କୁମାରଙ୍କ ଘାତକ ବୋଲିଂ ଆଗରେ ମଧ୍ୟପ୍ରଦେଶର ବ୍ୟାଟର୍ମାନେ ହାତ ଟେକି ଦେଇଛନ୍ତି ।
ଶ୍ରୀନଗରର ଶେର୍-ଏ-କାଶ୍ମୀର ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଜମ୍ମୁ-କାଶ୍ମୀର ଅଧିନାୟକ ପାରସ ଡୋଗ୍ରା । ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରି ମାତ୍ର ୭୪.୨ ଓଭରରେ ମଧ୍ୟପ୍ରଦେଶର ପୂରା ଦଳକୁ ପ୍ୟାଭିଲିୟନ୍ ଫେରାଇ ଦେଇଛନ୍ତି ବୋଲର୍ମାନେ ।
ଚଳିତ ବର୍ଷ ପ୍ରଥମ ରଣଜୀ ଟ୍ରଫି ଟାଇଟଲ୍ ଜିତି ଇତିହାସ ରଚିଥିବା ଜମ୍ମୁ-କାଶ୍ମୀର ଏଥର ମଧ୍ୟ ନିଜର ଦବ୍ଦବା ଜାହିର କରିବା ଲକ୍ଷ୍ୟରେ ରହିଛି । ରୋହିତ ଶର୍ମାଙ୍କ ଏହି ଦମଦାର ପ୍ରତ୍ୟାବର୍ତ୍ତନ ଦଳର ଆତ୍ମବିଶ୍ୱାସକୁ ଆହୁରି ବଢ଼ାଇଛି । ଏବେ ସମସ୍ତଙ୍କ ନଜର ଜମ୍ମୁ-କାଶ୍ମୀରର ପ୍ରଥମ ଇନିଂସ ଉପରେ ।