ଚାଷୀଙ୍କ ସମସ୍ୟା ପାଇଁ ଆହୁରି ୭ଦିନ ବଢ଼ିଲା ଚାଷୀ ପଞ୍ଜୀକରଣ ଅବଧି

ଚାଷୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି । ରାଜ୍ୟ ସରକାର ଧାନ କ୍ରୟ ପାଇଁ ପଞ୍ଜୀକରଣର ଶେଷ ତାରିଖକୁ ଆଉ ସାତ ଦିନ ବୃଦ୍ଧି କରିଛନ୍ତି। ଚାଷୀମାନଙ୍କ ପକ୍ଷରୁ ସର୍ଭର ଏବଂ ନେଟୱାର୍କ ସମସ୍ୟା ନେଇ ବ୍ୟାପକ ଅଭିଯୋଗ ଆସିବା ପରେ ଓଡ଼ିଶା ସରକାର ରବିବାର ଦିନ ଧାନ ଚାଷୀଙ୍କ ପଞ୍ଜିକରଣର ଶେଷ ତାରିଖକୁ ସାତ ଦିନ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପୂର୍ବ ସମୟ ସୀମା ଶୀଘ୍ର ଶେଷ ହେବାକୁ ଯାଉଥିବାରୁ ଏହି ସମୟ ସୀମା ବୃଦ୍ଧି ଘୋଷଣା କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୬ ତାରିଖରେ ଆରମ୍ଭ ହୋଇଥିବା ଧାନ ପଞ୍ଜୀକରଣ ପ୍ରକ୍ରିୟା ଅଗଷ୍ଟ ୩୧ ତାରିଖରେ ଶେଷ ହେବାକୁ ସ୍ଥିର କରାଯାଇଥିଲା। ଏପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ମୋଟ ୧୯.୬୭ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ । ଏବଂ ଚଳିତ ବର୍ଷ ମଧ୍ୟ ସମାନ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିବେ ବୋଲି ଆଶା କରାଯାଉଛି।

ସେ କହିଛନ୍ତି ଯେ ପଞ୍ଜୀକରଣ ପ୍ରକ୍ରିୟା ସମୟରେ କିଛି ସ୍ଥାନରେ ଚାଷୀମାନେ ନେଟୱାର୍କ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଯାହା ଅସୁବିଧା ସୃଷ୍ଟି କରିଥିଲା। ସମସ୍ୟାର ସମାଧାନ ପାଇଁ ବୈଷୟିକ ଦଳ ସହିତ ଆଲୋଚନା କରାଯାଇଛି । ଏବଂ ସରକାର ଆଶ୍ୱାସନା ଦେଇଛନ୍ତି ଯେ ନେଟୱାର୍କ ଏବଂ ବୈଷୟିକ ତ୍ରୁଟିଗୁଡ଼ିକୁ ଶୀଘ୍ର ସମାଧାନ କରାଯିବ।