ରାସ୍ତାରେ ଶୁଖିଲା ଗଛ ପଡ଼ି ବାଇକ୍ ଆରୋହୀଙ୍କ ପ୍ରାଣହାନୀ

ରାସ୍ତା ଉପରେ ହଠାତ୍‌ ଭାଙ୍ଗି ପଡ଼ିଲା ଶୁଖିଲା ଗଛ। ଆଉ ଗଛ ତଳେ ଚାପି ହୋଇ ଚାଲିଗଲା ଜଣେ ବାଇକ୍ ଆରୋହୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ନୂଆପଦର ପଞ୍ଚାୟତ ଛକ ନିକଟରେ। ମୃତକ ହେଲେ ଲତପଙ୍ଗିଆ ଗ୍ରାମର ବିପିନ କହଁର। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆଜି ସକାଳେ ନୂଆପଦର ପଞ୍ଚାୟତ ଛକ ରାସ୍ତାରେ ଘଟିଥିଲା ଏହି ଦୁର୍ଘଟଣା। ରାସ୍ତାକଡ଼ରେ ଥିବା ଏକ ବିରାଟକାୟ ଶୁଖିଲା ପଣସ ଗଛ ହଠାତ୍‌ ଭାଙ୍ଗି ରାସ୍ତା ଉପରକୁ ପଡ଼ିଥିଲା। ଠିକ୍‌ ସେହି ସମୟରେ ବାଇକ୍‌ ଯୋଗେ ନିଜ ଘର ଲତପଙ୍ଗିଆ ଗ୍ରାମକୁ ଫେରୁଥିବା ବିପିନ କହଁର ଗଛ ତଳେ ଚାପି ଯାଇଥିଲେ।ଗଛଟି ଏତେ ବଡ଼ ଥିଲା ଯେ, ବିପିନଙ୍କୁ ତାହା ତଳୁ ବାହାର କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଉଦ୍ୟମ କରିବାକୁ ପଡ଼ିଥିଲା। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ମେଡିକାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କର ଆଶୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ।ତେବେ ଏହି ଘଟଣା ପରେ ସାମ୍ନାକୁ ଆସିଛି ଏକ ଗୁରୁତର ଅଭିଯୋଗ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତାକଡ଼ରେ ଥିବା ଏହି ଶୁଖିଲା ପଣସ ଗଛଟି ବିପଦସଙ୍କୁଳ ଅବସ୍ଥାରେ ଥିଲା। ଗଛଟିକୁ କାଟିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ। ହେଲେ ଦାବି ସତ୍ତ୍ୱେ ଗଛଟିକୁ କଟାଯାଇ ନଥିଲା।ଆଉ ଆଜି ସେହି ଶୁଖିଲା ଗଛ ହିଁ ଜଣେ ନିରୀହ ବାଇକ୍ ଆରୋହୀଙ୍କ ଜୀବନ ନେଇଛି। ଏଭଳି ବିପଦସଙ୍କୁଳ ଗଛଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ହଟାଇବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।