STPIର ସମ୍ପ୍ରସାରଣ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ (C-DAC)ର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ଏବଂ ସହରରେ ଥିବା ସଫ୍ଟୱେର୍ ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (STPI) କେନ୍ଦ୍ରର ସମ୍ପ୍ରସାରଣ ପାଇଁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆଜି ଏହି ସମ୍ପର୍କରେ ବୈଷ୍ଣବଙ୍କୁ ଏକ ଚିଠି ଲେଖିଛନ୍ତି।

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଥିବା C-DAC ଆଞ୍ଚଳିକ କେନ୍ଦ୍ର କୃତ୍ରିମ ବୁଦ୍ଧିମତ୍ତା (AI), ସାଇବର ସୁରକ୍ଷା, ଡାଟା ଆନାଲିଟିକ୍ସ ଏବଂ କ୍ଲାଉଡ୍ ଭିତ୍ତିଭୂମି ସମେତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବ। ଏହି ପଦକ୍ଷେପ ଏହି ଅଞ୍ଚଳର ଛାତ୍ର ଏବଂ ଗବେଷକମାନଙ୍କୁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଗବେଷଣା ଏବଂ ନବସୃଜନରେ ନିୟୋଜିତ ହେବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେମିକଣ୍ଡକ୍ଟର ଡିଜାଇନ୍, AI ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ର ଉପରେ ଧ୍ୟାନ ଦେଇ ସମ୍ବଲପୁରରେ STPI କେନ୍ଦ୍ରର ସମ୍ପ୍ରସାରଣ ପାଇଁ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସମ୍ପ୍ରସାରଣ ଏହି ଅଞ୍ଚଳରେ ଷ୍ଟାର୍ଟଅପ୍, ନବସୃଜନ ଏବଂ ଦକ୍ଷତା ବିକାଶ ପାଇଁ ଏକ ଦୃଢ଼ ଇକୋସିଷ୍ଟମ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏପରି ଏକ ପଦକ୍ଷେପ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୁଦୃଢ଼ ​​କରିବା ସହିତ ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ ଉଚ୍ଚମାନର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ତଥା ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ଏବଂ ପଶ୍ଚିମ ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା-ଚାଳିତ ନିବେଶକୁ ଆକର୍ଷିତ କରିବାରେ ମଧ୍ୟ ସାହାଯ୍ୟ କରିବ ବୋଲି,” ସେ କହିଛନ୍ତି।

ସମ୍ବଲପୁରରେ ଏକ C-DAC ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ଏବଂ STPIର ସମ୍ପ୍ରସାରଣ ସହରର ଡିଜିଟାଲ୍ ଏବଂ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ଆହୁରି ସୁଦୃଢ଼ ​​କରିବ। ପ୍ରସ୍ତାବିତ ପଦକ୍ଷେପଗୁଡ଼ିକ ଓଡ଼ିଶାର ବୃଦ୍ଧି ପାଉଥିବା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ଅବଦାନ ରଖିବ । ଏବଂ ଏକ ବିଶ୍ୱ ପ୍ରଯୁକ୍ତିବିଦ୍ୟା ହବ୍ ଭାବରେ ଉଭା ହେବା ସହ ଭାରତର ବ୍ୟାପକ ମହତ୍ତ୍ୱାକାଂକ୍ଷାକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି।