ସୁନା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସିନ୍ଧେକେଲା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ସୁନା ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରେ ଦୁର୍ବୃତ୍ତମାନେ ପଶି ମାରଣାସ୍ତ୍ର ଦେଖାଇ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଡକାୟତି ସମୟରେ ତାଙ୍କ ପୁଅ ଓ ବୋହୂ ଚିକିତ୍ସା ପାଇଁ ରାୟପୁର ଯାଇଥିବା ବେଳେ ଘରେ କେବଳ ଦୁଇଜଣ ବ୍ୟକ୍ତି ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଘର ପରିସରରେ ପ୍ରବେଶ କରିଥିଲେ ଏବଂ ସେଠାରେ ଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ପରେ ଲୁଟ୍ କରିଥିଲେ। ତେବେ, ଏହି ଘଟଣାରେ କେତେ ପରିମାଣର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ, ସୂଚନା ପାଇ ସିନ୍ଧେକେଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଲୁଟ୍ ଘଟଣାର ପରିସ୍ଥିତି ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା।