ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌, ମେଡିକାଲ୍‌ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବୃଦ୍ଧି ଦାବି

ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌, ମେଡିକାଲ୍‌ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବୃଦ୍ଧି ଦାବି । ଓଡ଼ିଶା ଏକ୍ସ-ଏମ୍‌ଏଲ୍‌ଏ କାଉନସିଲ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି । ଅଧିକାଂଶ ପୂର୍ବତନ ବିଧାୟକ ବୃଦ୍ଧାବସ୍ଥାରେ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି। ନିୟମିତ ଚିକିତ୍ସାର ଆବଶ୍ୟକତା ଥିବାରୁ ସେମାନଙ୍କୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଫଳରେ ଅନେକ ପୂର୍ବତନ ବିଧାୟକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଦାବି କରାଯାଇଛି । ସମୟକ୍ରମେ ବଜାର ଦର ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ନିଜ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ନିୟମିତ ଭାବେ ମହଙ୍ଗା  ଭତ୍ତା (DA) ଓ ଟିଆଇ (TI) ବୃଦ୍ଧି କରୁଛନ୍ତି ।

କିନ୍ତୁ ୨୦୧୭ ଜାନୁଆରୀ ୧ ଠାରୁ ପୂର୍ବତନ ବିଧାୟକମାନେ ଏକୀକୃତ ରାଶି ପାଉଥିବାରୁ ଏହି ବୃଦ୍ଧିର ସୁବିଧା ସେମାନଙ୍କୁ ମିଳୁନାହିଁ ବୋଲି କାଉନସିଲ୍‌ କହିଛି । ଓଡ଼ିଶା ବିଧାନସଭାର ସାଲାରୀ/ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ପରାମର୍ଶଦାତା କମିଟିର ସୁପାରିଶକୁ ଶୀଘ୍ର କାର୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କାଉନସିଲ୍‌ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିସହ ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌, ମେଡିକାଲ୍‌ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ବୃଦ୍ଧି ଦାବି ମଧ୍ୟ ରଖାଯାଇଛି ।