ଇରାନ ଓ ଆମେରିକା ଯୁଦ୍ଧ ପାଇଁ, ଅନେକ ଦେଶରେ ତେଲ ସଙ୍କଟ ଦେଖିବାକୁ ମିଳିଛି । କାରଣ ସବୁଠୁ ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ଷ୍ଟ୍ରେଟ୍ ଅଫ ହର୍ମୁଜ୍ ବନ୍ଦ ସହିତ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଟ୍ରମ୍ପଙ୍କ ଗୋଟିଏ ପରେ ଗୋଟିଏ ନୂଆ ଧମକ ଓ ଯୁଦ୍ଧ ବିରତି ସତ୍ତ୍ଵେ ଇରାନର ଜାହାଜକୁ ଅଟକ ରଖିବା ସ୍ଥିତିକୁ ଆହୁରି ଗମ୍ଭୀର କରୁଛି । ଏହାରି ଭିତରେ ଭାରତର ପଡ଼ୋଶୀ ଦେଶ, ବାଂଲାଦେଶରେ ଇଣ୍ଟରନେଟ୍ ଠପ୍ ହୋଇପାରେ ବୋଲି ଆକଳନ କରାଯାଉଛି ।

ତେଲ ଓ ଗ୍ୟାସ ଆବଶ୍ୟକତାର ପ୍ରାୟ ୯୫ ପ୍ରତିଶତ, ବାଂଲାଦେଶ ଆମଦାନୀ ଉପରେ ନିର୍ଭର କରିଥାଏ । ଅଧିକାଂଶ ତେଲ ମଧ୍ୟପ୍ରାଚ୍ୟରୁ ଆସିଥାଏ । ଏବେ ହର୍ମୁଜ ସାମୁଦ୍ରିକ ପଥ ବନ୍ଦ ହେବା ପରେ, ବାଂଲାଦେଶରେ ହାହାକାର ସୃଷ୍ଟି ହୋଇଛି । ବିଦ୍ୟୁତ ସଙ୍କଟ ଯୋଗୁଁ ବହୁ ପୂର୍ବରୁ ବାଂଲାଦେଶରେ ପୋଷାକ ଶିଳ୍ପ ପ୍ରଭାବିତ ହୋଇଥିବାବେଳେ ୩୦% ଉତ୍ପାଦନ ହ୍ରାସ ପାଇଛି । ଦେଶର ବିଭିନ୍ନ ସହରର ପେଟ୍ରୋଲ ପମ୍ପରେ ୧୨ରୁ ୧୩ ଘଣ୍ଟା ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗୁଛି । ଏବେ ଏହି ସମସ୍ୟା ଇଣ୍ଟରନେଟ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ଯାଉଛି। କାରଣ ବାଂଲାଦେଶର ମୋବାଇଲ ଟେଲିକମ ଅପରେଟର ସଂଗଠନ ଚେତାବନୀ ଦେଇଛି ଯେ, ଯଦି ସରକାର ହସ୍ତକ୍ଷେପ ନ କରନ୍ତି ! ତେବେ ଇଣ୍ଟରନେଟ୍ ସେବା ଯୋଗାଇବାରେ AMTOB ବିଫଳ ହେବ । ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ଯୋଗୁଁ, ଟେଲିକମ କମ୍ପାନୀଗୁଡ଼ିକ ନିଜର ଡାଟା ସେଣ୍ଟର ଚଲାଇବା ଲାଗି ଡିଜେଲ ଚାଳିତ ଜେନେରେଟର୍ ଉପରେ ନିର୍ଭର କରନ୍ତି । କିନ୍ତୁ ଏବ ଦେଶର ଅନେକ ସହରରେ ୫ରୁ ୮ ଘଣ୍ଟା ବିଦ୍ୟୁତ କଟୁଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି ।