ଅନୁଗୁଳ DHH କିରାଣି ସୁବ୍ରତ ବେହେରାଙ୍କ ୩ ମହଲା କୋଠା ଠାବ, ୨.୩୮ କୋଟି ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ରେଡ୍

ଅନୁଗୁଳ: ଦୀର୍ଘ ସାଢେ ତିନି ମାସ ଧରି ଫେରାର ରହିବା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ର କିରାଣି ସୁବ୍ରତ ବେହେରାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ବିଭାଗ। ପ୍ରାୟ ୨.୩୮ କୋଟି ଟଙ୍କା ସରକାରୀ ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ତାଙ୍କ ବିରୋଧରେ ରେଡ୍ କରାଯାଇଥିଲା। ଭିଜିଲାନ୍ସ ଚଢ଼ାଉ ସମୟରେ ଅନୁଗୁଳ ସହରରେ ଥିବା ପ୍ରାୟ ୪୫୦୦ ସ୍କୋୟାର ଫୁଟ୍ ଅଞ୍ଚଳରେ ନିର୍ମିତ ତିନି ମହଲା ବିଶିଷ୍ଟ ଏକ ଆଡମ୍ବରପୂର୍ଣ୍ଣ କୋଠା ଠାବ କରାଯାଇଛି। ଏହା ସହ ୪୫୦ ଗ୍ରାମ ସୁନା, ଗୋଟିଏ କାର୍ ଏବଂ ୩ଟି ଦୁଇଚକିଆ ଗାଡ଼ି ଜବତ ହୋଇଛି।

ସୂଚନା ଅନୁଯାୟୀ, ସୁବ୍ରତ ବେହେରା ହସ୍ପିଟାଲରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିବା ସମୟରେ ରେକର୍ଡ ଜାଲିଆତି କରି ନିଜ ଦରମାକୁ ବେଆଇନ ଭାବେ ବଢ଼ାଇ ଦେଇଥିବା ସହ ସରକାରୀ ତହବିଲରୁ ପ୍ରାୟ ୨.୫ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ଆସିଛି। ହସ୍ପିଟାଲର ଆଭ୍ୟନ୍ତରୀଣ ଅଡିଟ୍‌ରେ ଏହି ବିଶାଳ ଦୁର୍ନୀତି ପ୍ରକାଶ ପାଇଥିଲା। ମାମଲା ରୁଜୁ ହେବା ପରେ ସୁବ୍ରତ ଗିରଫ ଭୟରେ ଫେରାର ହୋଇଥିଲେ। ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲା। ଶେଷରେ ମଙ୍ଗଳବାର ଦିନ ତାଙ୍କୁ କୌଶଳକ୍ରମେ କାବୁ କରାଯାଇଥିଲା। ଏହି ଦୁର୍ନୀତି ଘଟଣାରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ଓ ଆତ୍ମସାତ ହୋଇଥିବା ଟଙ୍କା କେଉଁଠି ବ୍ୟୟ ହୋଇଛି, ସେନେଇ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।