ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଭୁଲ୍ ମାଗିଲେ ଶୁଭଙ୍କର ମିଶ୍ରା

ରିପୋଟର୍ସ ଟୁଡେ ବ୍ୟୁରୋ: ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଭୁଲ୍ ମାଗିଲେ ଶୁଭଙ୍କର ମିଶ୍ରା । ବିବାଦ ଓ ବିରୋଧ ତେଜିବା ପରେ ଶେଷରେ ଭୁଲ୍ ମାଗିଲେ ଶୁଭଙ୍କର । ବିବାଦୀୟ ମନ୍ତବ୍ୟ ପାଇଁ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କ୍ଷମାପ୍ରାର୍ଥନା କଲେ । ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ବିବାଦୀୟ ଭିଡିଓ ହଟାଇବା ସହ କ୍ଷମା ମାଗିଲେ । କ୍ଷମା ମାଗି ଶୁଭଙ୍କର କହିଛନ୍ତି, ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଓଡ଼ିଆ ଶ୍ରଦ୍ଧାଳୁଙ୍କ ମନକୁ ଆଘାତ ଲାଗିଥିଲେ ମୁଁ କ୍ଷମାପ୍ରାର୍ଥନା କରୁଛି । ପ୍ରଭୁ ଜଗନ୍ନାଥ ମୋ ଆରାଧ୍ୟ, ପୁରୀ ଧାମକୁ ମୁଁ ମୋ ଘର ଭାବେ । ଓଡ଼ିଶା ଲୋକେ ମୋତେ ଅନେକ ସ୍ନେହ, ସମ୍ମାନ ଦେଇଛନ୍ତି । ମୁଁ ମୋ ପୁରୁଣା ଭିଡିଓ ହଟାଇ ଦେଇଛି, ହୃଦୟରୁ କ୍ଷମା ମାଗୁଛି ବୋଲି କହିଛନ୍ତି ଶୁଭଙ୍କର ।

ସୂଚନାଯୋଗ୍ୟ, ଶୁଭଙ୍କର ଏକ ପଡକାଷ୍ଟରେ କହିଥିଲେ ଯେ, ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ। କୌଣସି ପ୍ରେମୀ ଯୁଗଳ ଭୁଲରେ ବି ଶ୍ରୀମନ୍ଦିରକୁ ଯିବା ଉଚିତ ନୁହେଁ। ସମ୍ପର୍କକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ମନ୍ଦିର ଭିତରକୁ ଯିବ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ ପାଇଁ ମା’ ରାଧାରାଣୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେ ମନ୍ଦିର ଭିତରକୁ ଯିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ଯାହାକୁ ନେଇ ମା’ ରାଧାରାଣୀ ରାଗିଯାଇ ଅଭିଶାପ ଦେଇଥିଲେ। କୌଣସି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଆସିଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯିବା ସହ ବିବାହ ହୋଇପାରିବ ନାହିଁ ବୋଲି ମା’ ଅଭିଶାପ ଦେଇ ସେଠାରୁ ଚାଲିଯାଇଥିଲେ। ଶୁଭଙ୍କରଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ରାଜ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିଶେଷକରି ପୁରୀରେ ଅସନ୍ତୋଷ ଦେଖାଦେଇଛି। ଶୁଭଙ୍କର କିପରି ଏଭଳି ବିଭ୍ରାନ୍ତିକର ଟିପ୍ପଣୀ ଦେଇପାରିଲେ ତାହାକୁ ନେଇ ପୁରୀବାସୀ ପ୍ରଶ୍ନ ଉଠାଇଛନ୍ତି।