୧୨ଘଣ୍ଟାରେ ବାତ୍ୟା !, ଏହି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ଵର: ୨୮ ତାରିଖ ସନ୍ଧ୍ୟାରୁ ୨୯ ସକାଳ ମଧ୍ୟରେ ବେଶୀ ପ୍ରଭାବ । ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମଛଲିପଟନମ ଓ କଳିଙ୍ଗପଟନମ ଭିତରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା । ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପର୍ଯ୍ୟନ୍ତ ପବନ ବହିବ । ସେହିପରି ଭାବେ ଉତ୍ତର ଓଡ଼ିଶାରେ ପ୍ରଭାବ କମ୍‌ ରହିବ । ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସହିତ ୨୭ ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ବାତ୍ୟା ପ୍ରଭାବରେ ୨୮, ୨୯ରେ ସାରା ଓଡ଼ିଶାରେ ବର୍ଷିବ ।

ଆସନ୍ତାକାଲି ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳୁ ମଙ୍ଗଳବାର ସକାଳ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।କିଛିକିଛି ସ୍ଥାନରେ ୧୨ ସେଣ୍ଟିମିଟରରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ସୋମବାର ସକାଳୁ ମଙ୍ଗଳବାର ସକାଳ ଯାଏଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।