CJIଙ୍କ ଉପରକୁ ଜୋତାମାଡ ଘଟଣା: ଜଷ୍ଟିସ୍ ଗଭାଇଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: CJI ଜଷ୍ଟିସ୍ ବି.ଆର୍ ଗଭାଇଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । CJIଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କଲେ ମୋଦି । କଡ଼ା ନିନ୍ଦା ସହ ଏହା ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି ବୋଲି କହିଲେ ମୋଦି । ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ ଆମ ସମାଜରେ କୌଣସି ସ୍ଥାନ ନାହିଁ । ଏପରି ସ୍ଥିତିର ସମ୍ମୁଖୀନ ସତ୍ତ୍ବେ CJIଙ୍କ ଶାନ୍ତ ମନୋଭାବକୁ ପ୍ରଶଂସା କରୁଛି । ଏହା ସମ୍ବିଧାନର ଆତ୍ମାକୁ ଦୃଢ଼ କରିବାରେ ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ତେବ ସୁପ୍ରିମକୋର୍ଟ ପରିସରରେ CJIଙ୍କ ଉପରକୁ ଜୋତା ଫିଙ୍ଗିଥିଲେ ଜଣେ ଆଇନ୍‌ଜୀବୀ । ମୁଖ୍ୟ ବିଚାରପତି ଜଷ୍ଟିସ୍‍ ବି.ଆର ଗଭଇ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଜୋତା ଫିଙ୍ଗିବାକୁ ଉଦ୍ୟମ କରିବା ସହ ଚିତ୍କାର କରି ରାକେଶ କହିଥିଲେ କି, ‘ସନାତନଙ୍କ ପ୍ରତି ଅପମାନ ସହ୍ୟ କରିବି ନାହିଁ’ । ଆକ୍ରମଣ ଉଦ୍ୟମ ପରେ କୋର୍ଟ କର୍ମଚାରୀମାନେ ତାଙ୍କୁ ପୋଲିସରେ ଜିମା ଦେଇଥିଲେ । ମଧ୍ୟପ୍ରଦେଶର ଖଜୁରାହୋରେ ଭଗବାନ ବିଷ୍ଣୁଙ୍କ ୭ଫୁଟ୍‍ ଉଚ୍ଚ ମୁଣ୍ଡ କଟା ମୂର୍ତ୍ତିର ପୁନରୁଦ୍ଧାର ଉପରେ ସିଜେଆଇ ଗଭଇଙ୍କ ମନ୍ତବ୍ୟରେ ଆଇନଜୀବୀ ରାକେଶ ବେଶ ଆଘାତ ପାଇଥିଲେ ।

ସୁପ୍ରିମକୋର୍ଟ ଆଡଭୋକେଟ୍ସ-ଅନ୍-ରେକର୍ଡ ଆସୋସିଏସନ୍ ଏହି ଘଟଣାର ତୀବ୍ର ନିନ୍ଦା କରିଛି। ଆସୋସିଏସନ୍ କହିଛି, “ଆମେ ସର୍ବସମ୍ମତିକ୍ରମେ ଜଣେ ଓକିଲଙ୍କ କାର୍ଯ୍ୟ ପ୍ରତି ଆମର ଦୁଃଖ ପ୍ରକାଶ କରୁଛୁ, ଯିଏ ତାଙ୍କର ଅନୁପଯୁକ୍ତ ଆଚରଣ ଦ୍ୱାରା ଭାରତର ମୁଖ୍ୟ ବିଚାରପତି ଏବଂ ତାଙ୍କ ସହ ବିଚାରପତିଙ୍କ ପଦବୀ ଏବଂ କର୍ତ୍ତୃତ୍ୱକୁ ଅସମ୍ମାନ କରିବାକୁ ଚେଷ୍ଟା କରିଥିଲେ।”