ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ରଖିଲେ କଡ଼ା ଜବାବ

ଭୁବନେଶ୍ୱର:- ଏସ୍ଆଇ ପରୀକ୍ଷା ନେଇ ବିଜେଡ଼ିର ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ । ବିଜେଡ଼ି ଶାସନ ସମୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରଶ୍ନ ପତ୍ର ଲିକ ଠାରୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ ଆକ୍ସନ ନେଇଛନ୍ତି ତାର ଉତ୍ତର ଆଗ ବିଜେଡ଼ି ଦେଉ । ତାଙ୍କ ସମୟରେ ସରକାର ଓ ବିଜେଡ଼ି ଦଳର ପ୍ରୋତ୍ସାହନରେ ପରୀକ୍ଷା ଦୁର୍ନୀତି ହେଉଥିଲା । କାହାର ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଲେ ହିଁ ଚାକିରୀ ନିଶ୍ଚିତ ମିଳୁଥିଲା ତାହା ମଧ୍ୟ ଓଡ଼ିଶା ଲୋକ ଜାଣିଛନ୍ତି । ବିଜେପି ସରକାର ଆସିଲା ପରେ କିଏ ଗିରଫ ହୋଇଛନ୍ତି ତାହା ବି କାହାକୁ ଅଛପା ନାହିଁ । ବିଜେଡ଼ି ନିଜେ ଆଗ ୨୪ ବର୍ଷ ଶାସନର ଆତ୍ମ ସମୀକ୍ଷା କରୁ, ତାପରେ ସମାଲୋଚନା କରିବେ । ତେଣୁ ଗପ କହିବାର କିଛି ମାନେ ନାହିଁ । ତଦନ୍ତ ସରିଲେ ହିଁ ଜଣାପଡିବ କାହାର ସଂପୃକ୍ତି ଅଛି । ତେବେ ଯାହାର ବି ସଂପୃକ୍ତି ଥିବ, ସେ ଯେତେ ବଡ଼ ଲୋକ ହୋଇଥାନ୍ତୁ ନା କାହିଁକି ଦଣ୍ଡିତ ହେବେ । ହେଲେ ବିଜେପି ସରକାର ଆସିବା ପରେ ସ୍ଥିତି ବଦଳିଛି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଗୁଡ଼ିକ ଠିକ୍ ଢଙ୍ଗରେ ପରୀକ୍ଷା କରିବା ପାଇଁ ଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜେଲ ଦଣ୍ଡ ଓ ଜରିମାନା ଭଳି ଆକ୍ସନ ଯୋଗୁଁ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି । ଗିରଫ ହୋଇଥିବା ୧୧୭ ଜଣ ପୋଲିସ ପଦକ୍ଷେପ ଫଳରେ ଗିରଫ ହୋଇଛନ୍ତି । ତେଣୁ ସରକାର ପୁରା ସଜାଗ ଅଛନ୍ତି । ଯଦି କୌଣସି ଦୁର୍ବୃତ୍ତ ଧରା ପଡ଼ୁଛନ୍ତି, ତାଙ୍କୁ ଦଣ୍ଡ ଦିଆଯାଉଛି ।