ଭୁବନେଶ୍ଵର: ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ପାଇଁ ଆସିଲା ଚିଠା ପ୍ରସ୍ତାବ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ । ୨୦୨୧ ଇଭି ପଲିସି ଅନୁସାରେ ୪ ବର୍ଷରେ ୨୦% ଇଭି ଲକ୍ଷ୍ୟ ଧାର୍ଯ୍ୟ ଥିଲା । ସରକାରୀ ପ୍ରୋତ୍ସାହନ ସତ୍ତ୍ବେ ମାତ୍ର ୯% ଇଭି ଗାଡ଼ି ରାସ୍ତାରେ ଗଡ଼ିଛି । ଲକ୍ଷ୍ୟ ହାସଲ ପାଇଁ ସରକାର ଓଡ଼ିଶା ଭେଇକିଲ୍ ପଲିସି-୨୦୨୫ ଆସିବ । ଓଡ଼ିଶାକୁ ଦେଶର ମଡେଲ୍ ଷ୍ଟେଟ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ଡ୍ରାଫ୍ଟ । ୨୦୩୬ ସୁଦ୍ଧା ୭୦% ଓ ୨୦୪୭ ସୁଦ୍ଧା ୮୦% ଇଭି ଭେଇକିଲ୍ ଗଡ଼ିବା ଲକ୍ଷ୍ୟ ରଖିଛନ୍ତି ସରକାର । ବିଜ୍ଞପ୍ତି ପ୍ରକାଶ ଠାରୁ ୨୦୩୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ପଲିସି ବଳବତ୍ତର ରହିବ । ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ୧୨ ମାସ ଭିତରେ ଇଭି ଗାଡ଼ି ଆପଣାଇବାକୁ ପରାମର୍ଶ । ସ୍ବାସ୍ଥ୍ୟ ଓ ଗୃହ ବିଭାଗକୁ ମଧ୍ୟ ବର୍ଷକ ଭିତରେ ଇଭି ଗାଡ଼ି ପାଇଁ ପରାମର୍ଶ । ସେହିପରି ୩୦ ଦିନ ଭିତରେ ମତାମତ ଦେବାକୁ ଆହ୍ବାନ କଲେ ସରକାର ।

ସୂଚନା ଅନୁସାରେ, ଚିଠା ଇଭି ନୀତି ୨୦୨୫ରେ ଇ-ରିସ୍କା ଓ କାର୍ଟ ପାଇଁ ଗାଡ଼ି ପିଛା ଫ୍ଲାଟ୍ ୨୦ ହଜାର ଟଙ୍କା, ୩ଚକିଆ ଇଭି (ଏଲ୍୫ଏମ୍ ଓ ଏଲ୍୫ଏନ୍) ବର୍ଗରେ ଗାଡ଼ି ପିଛା ଫ୍ଲାଟ୍ ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ରହିଛି। ଇଲେକ୍ଟ୍ରିକ୍ କାର୍ (ଏଲ୍ଏମ୍ଭି) ଉପରେ ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ, ପରିବହନ ଉପଯୋଗୀ ଇଲେକ୍ଟ୍ରିକ୍ ଚାରିଚକିଆ କାର୍ ଉପରେ ଗାଡ଼ି ପିଛା ଫ୍ଲାଟ୍ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦିଆଯିବ। ଇଲେକ୍ଟ୍ରିକ୍ ୪ଚକିଆ ମାଲ୍ବାହୀ ଗାଡ଼ି (ଏନ୍୧) ଉପରେ ୩.୫ ଟନ୍ ଭାର ବହନ କ୍ଷମତା ଥିବା ଗାଡ଼ି ପାଇଁ ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି। ଇଲେକ୍ଟ୍ରିକ୍ ବସ୍ (ଏମ୍୩, ଏମ୍୪) ଉପରେ ୨୦ ଲକ୍ଷ ଟଙ୍କା ଏବଂ ଇଲେକ୍ଟ୍ରିକ୍ ଟ୍ରକ୍ (ଏନ୍୨ ଓ ଏନ୍୩) ଉପରେ ବିଭିନ୍ନ ଭାର ବହନ କ୍ଷମତା ଅନୁସାରେ ୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ନିଜ ଗାଡ଼ିର ରେଟ୍ରୋଫିଟିଂ କରିବାକୁ ଚାହିବେ ସେମାନଙ୍କୁ ୨ଚକିଆ ଯାନ ପାଇଁ ରେଟ୍ରୋଫିଟିଂ ମୂଲ୍ୟର ୩୦ ପ୍ରତିଶତ ଏବଂ ୩ଚକିଆ ପାଇଁ ୨୫ ପ୍ରତିଶତ ରାଶି ପ୍ରୋତ୍ସାହନ ଆକାରରେ ପ୍ରଦାନ କରାଯିବ।

ଚିଠା ଇଭି ବିଲ୍କୁ ନେଇ ଅଂଶୀଦାର ମାନଙ୍କଠାରୁ ମତାମତ ଆହ୍ବାନ କରାଯାଇଛି। ଯେକୌଣସି ବ୍ୟକ୍ତି ଡାକ କିମ୍ବା, [email protected]ରେ ଇମେଲ୍ କରି ନିଜର ମତାମତ ୩୦ ଦିନ ଭିତରେ ପଠାଇପାରିବେ ବୋଲି ସରକାର ଜଣାଇଛନ୍ତି। ଏହି ବିଲ୍ର ବୈଧତା ୨୦୩୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ। ନୀତିର ବିଜ୍ଞପ୍ତି ପ୍ରକାଶ ପାଇବାର ମାସକ ଭିତରେ ପରିଚାଳନା ମାର୍ଗଦର୍ଶିକା ଜାରି କରାଯିବ।