ଓଡ଼ିଶାରେ ହୋଇପାରିବନି ଗୋ-ହତ୍ୟା ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ହୋଇପାରିବନି ଗୋହତ୍ୟା। ଏଥିପାଇଁ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟରେ ଗୋ’ହତ୍ୟା ବନ୍ଦ ପାଇଁ ସ୍ୱତନ୍ତ୍ର ଆଇନ ରହିଛି। ତେଣୁ ସେହି ଆଧାରରେ ଓଡ଼ିଶାରେ ଗୋ’ହତ୍ୟା ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଗୋ’ହତ୍ୟା ନିରୋଧ ଆଇନ ସମ୍ପର୍କରେ ଗୁରୁବାର ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରିବା ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୌ ଜ୍ଞାନ ଫାଉଣ୍ଡେସନ୍ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଏହି ସୂଚନା ପ୍ରଦାନ କରାଯାଇଥିଲା। ସରକାରଙ୍କ ତରଫରୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ (ଏଜିଏ) ଦେବାଶିଷ ତ୍ରିପାଠୀ ଜଣାଇଥିଲେ ଯେ, ଏହି ପ୍ରସଙ୍ଗରେ ଆଇନ ବିଭାଗରୁ ମତାମତ ନିଆଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ଅନୁସଚିବ ତରଫରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଆଇନ ବିଭାଗର ମତାମତର ଏକ କପି ମଧ୍ୟ ସଂଲଗ୍ନ କରାଯାଇଛି।

ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ, ୧୯୬୦ର ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନର ଧାରା ୩ ଅନୁସାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷିଦ୍ଧ ହୋଇଥିବା ସତ୍ତ୍ୱେ, ଏହି ଆଇନର ଧାରା ୨ ଅନୁସାରେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇ ନାହିଁ। ଏହାକୁ ଗୁରୁତର ଭାବେ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରାଧିକୃତ କର୍ତ୍ତୃପକ୍ଷ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ପରବର୍ତ୍ତୀ ଶୁଣାଣିରେ ସୂଚନା ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧ ପାଇଁ ଧାର୍ଯ୍ୟ ହୋଇଛି।