ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା ଭିତରକନିକା । କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ଦୀର୍ଘ ୩ ମାସ ଭିତରକନିକା ବନ୍ଦ ଥିଲା । କୁମ୍ଭୀର ପ୍ରଜନନ ସମୟ ଶେଷ ହେବା ପରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ଏବେ ଭିତରକନିକାରେ ପର୍ଯ୍ୟଟକ ମାନେ ବଉଳା କୁମ୍ଭୀର ସହ ଦେଶ ଓ ବିଦେଶୀ ପକ୍ଷୀ, ହରିଣ, ବାରହା ଦେଖିପାରିବେ । ସେହିଭଳି ମ୍ୟୁଜିୟମ ସହ ବନବିଭାଗ ପକ୍ଷରୁ ନିର୍ମିତ ଦେଶର ପ୍ରଥମ ମ୍ୟାନଗ୍ରୁଭ ମେଟା ନର୍ସରୀ, କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ସହିଦ ସ୍ତମ୍ଭ ମଧ୍ୟ ଦେଖିପାରିବେ ।

ପର୍ଯ୍ୟଟକ ମାନେ ଭିତରକନିକା ପରିସରକୁ ପ୍ଲାଷ୍ଟିକ ଓ ପଲିଥିନ୍ ନ ଆଣିବାକୁ ଅନୁରୋଧ କରିଛି ବନବିଭାଗ । ସେହିଭଳି ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ନୈାବିହାର ଓ ସ୍କାଏ ଓ୍ଵାକରେ ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ତେବେ ଭିତରକନିକା ଖୋଲିଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ , ହୋଟେଲ , ଟ୍ରାଭେଲ୍ ଏଜେନ୍ସି, ଛୋଟ ବ୍ୟବସାୟ , ଟୁରିଷ୍ଟି ଗାଇଡ଼ ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି ।

କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ ରୁହେ । ଏହି ସମୟରେ ଜାତୀୟ ଉଦ୍ୟାନ ଭିତରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ରହିଥାଏ । ଏହି ସମୟରେ ପୁରୁଷ କୁମ୍ଭୀର ଓ ମା କୁମ୍ଭୀରଙ୍କ ମଧ୍ୟରେ ସଙ୍ଗମ ହୋଇଥାଏ। ମା’ କୁମ୍ଭୀରମାନେ ଭିତରକନିକାର ଲୁଣା ଜଙ୍ଗଲ ମଧ୍ୟରୁ ଖରଖରୀ ପତ୍ର ସଂଗ୍ରହକରି ବସା ବାନ୍ଧିଥାନ୍ତି। କିଛିଦିନ ପରେ ମା’ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି। ମା’ କୁମ୍ଭୀରମାନେ ଅଣ୍ଡା ଦେଇଥିବା ବସା ନିକଟରେ ଏକ ଗାତ ଖୋଳି ସେଠାରେ ତାଙ୍କ ଅଣ୍ଡାଗୁଡିକୁ ଜଗି ରହିଥାନ୍ତି। ସେମାନେ ବସାଛାଡି କୁଆଡେ ଯା’ନ୍ତି ନାହିଁ। ଛୁଆ କୁମ୍ଭୀରର ସୁରକ୍ଷା ପାଇଁ ମା’ କୁମ୍ଭୀର ଜଗି ରହିଥାଏ। ଏହି ସମୟରେ ମା କୁମ୍ଭୀର ଅତ୍ୟନ୍ତ ହିଂସ୍ର ହୋଇଥାଏ। କେହି ଯଦି ତାର ବସା ନିକଟତର ହୁଏ ତେବେ କୁମ୍ଭୀର ତତକ୍ଷଣାତ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ଏହି ସମୟରେ ପର୍ଯ୍ୟଟକମାନଙ୍କ ପ୍ରବେଶରେ କଟକଣା ଲଗାଇଥାନ୍ତି ବନ ବିଭାଗ।