ବାଲେଶ୍ୱରର ନୀଳଗିରିରୁ ଅମରେଶ ଜେନାଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର:- ଗିରଫ ହେଲେ ବିଜେଡି କର୍ପୋରେଟର ଅମରେଶ ଜେନା। ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଆଜି ବାଲେଶ୍ୱରର ନୀଳଗିରିରୁ ଅମରେଶ ଜେନାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଗତକାଲି ଅମରେଶ ଜେନାଙ୍କୁ ଫେରାର କରାଇବା ଅଭିଯୋଗରେ ତାଙ୍କ ୫ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅମରେଶ ଫେରାର ଥିଲେ। ତେବେ ଆଜି ତାଙ୍କୁ ବାଲେଶ୍ୱରରୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ କେସ ନଂ. ୩୯୪/୨୦୨୫ରେ  ବିଏନ୍‌ଏସ୍‌ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍‌ସୋ ଆକ୍ଟ-୨୦୧୨ର ଧାରାର ୬ ଅନୁସାରେ ମାମଲା ରୁଜୁ ହୋଇଥିଲା। ପୋଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମାଇନା କରାଇବା ସହ ବିଏନ୍‌ଏସ୍‌ଏସ୍‌ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ କରିଥିଲା।

ଅଭିଯୋଗରେ ମୁତାବକ, ଗତ ୨୦୨୩ ମସିହାରେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ ପିଡୀତଙ୍କ ଅମରେଶ ଜେନା ଓରଫ ବାୟାଁଙ୍କ ସହ ସାକ୍ଷାତ ହୋଇଥିଲା। ପରସ୍ପର ପରିଚିତ ହେବା ପରେ ବାୟାଁ ତାଙ୍କୁ ଏକ ମୋବାଇଲ୍‌ ଉପହାର ଦେଇଥିଲେ। କିଛିଦିନ କଥାବାର୍ତ୍ତା ପରେ ବାୟାଁ ଭଲପାଉଥିବା କହିଥିଲେ। ବାରମ୍ବାର ପ୍ରେମ ନିବେଦନ ପରେ ନାବାଳିକା ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ଏହାପରେ ବାୟାଁ ତାଙ୍କୁ ପୁରୀକୁ ନେଇ ସେଠାରେ ଜଣେ ସାଙ୍ଗଙ୍କ ଘରେ ରଖି ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ବିଭିନ୍ନ ସମୟରେ ବୁଲାବୁଲି କରିବା ସହ ଉଭୟ ସମ୍ପର୍କ ରଖିଥିଲେ। ଗତ ୨୦୨୪ ମସିହା ଫେବୃଆରି ମାସରେ ସେ ଦୁଇମାସର ଗର୍ଭବତୀ ଥିବା ଜଣାଇବା ପରେ ବାୟାଁ ଚତୁରତାର ସହ ତାଙ୍କ ଗର୍ଭ ନଷ୍ଟ କରିଥିଲେ। ସେ କହିଥିଲେ ଯେ ମୋର ପତ୍ନୀଙ୍କ ସହ ଠିକ୍‌ ଚାଲିନାହିଁ। ମୁଁ କିଛି ମାସ ମଧ୍ୟରେ ଛାଡ଼ପତ୍ର ଦେବି। ତେଣୁ ତୁମେ ଗର୍ଭ ନଷ୍ଟ କରିଦିଅ। ଛାଡ଼ପତ୍ର ପରେ ଆମେ ବିବାହ କରିବା। ଏହାପରେ ଯୁବତୀ ଗର୍ଭ ନଷ୍ଟ କରିଥିଲେ। ଏହାପରେ ଅମରେଶ ଯୁବତୀଙ୍କୁ ଏଡ଼ାଇବା ଆରମ୍ଭ କରି ଭୁବନେଶ୍ୱର ଛାଡ଼ିବାକୁ ଧମକ ଦେଇଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଅମରେଶ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ ଏବଂ ଏହି ସମ୍ପର୍କ ବିଷୟରେ କାହାକୁ ନ କହିବାକୁ ଚେତାବନୀ ଦେଇଥିଲେ।

ତେବେ କର୍ପୋରେଟର ଅମରେଶ ଜେନାଙ୍କୁ ପୋଲିସ ଗିରଫ କରିବା ପରେ ଦଳରୁ ନିଲମ୍ବନ କଲା ବିଜେଡି। ଗିରଫ ପରେ ଫେରାର କର୍ପୋରେଟର ଅମରେଶ ଜେନା ଦଳରୁ ନିଲମ୍ବିତ ହୋଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।