ଦିଗପହଣ୍ଡି: ଝାଡ଼ାବାନ୍ତିରେ ଆଉ ୮ ଜଣ ଆକ୍ରାନ୍ତ ଚିହ୍ନଟ । ସାନଖେମୁଣ୍ଡି ପରେ ପାତ୍ରପୁରରେ ଏବେ ଆଉ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେପଟେ ବାଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ମଧ୍ୟ ବ୍ୟାପୁଛି ଝାଡ଼ାବାନ୍ତି । ପରିମଳ ବ୍ୟବସ୍ଥା ଓ ଉତ୍ତମ ଚିକିତ୍ସା ଯୋଗାଇବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି । ଗତ କିଛି ଦିନ ଦିନ ଧରି ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ଉସ୍ତପଲ୍ଲୀ ଗ୍ରାମର ଲୋକମାନେ ବର୍ଷାଜଳ ତଥା ଦୂଷିତ ପାଣି ବ୍ୟବହାର କରିବା ଫଳରେ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ଝାଡାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ହେଲାଣି । ୩୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଝାଡ଼ାବାନ୍ତି ବ୍ୟାପିବାର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନି । ପାଣି ଓ ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଗତ ୫ ଦିନ ହେଲା ଗାଁରେ ଝାଡ଼ାବାନ୍ତିର ପ୍ରକୋପ ଦେଖାଦେଇଛି । ଗାଁରେ ଜଣକ ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । କେତେକ ଅସୁସ୍ଥଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ସେମାନଙ୍କୁ ରବିବାର ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏକ ୫ ଜଣିଆ ଡାକ୍ତରୀଦଳ ମଧ୍ୟ ଗାଁରେ ସ୍ଥିତି ଅନୁଧ୍ୟାନ କରିଛି । ଜଙ୍ଗଲୀ ପଶୁ ମାଂସ ଖାଇ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । ଦୂଷିତ ପାଣି ପିଇ ରୋଗ ବ୍ୟାପିଥିବା ଆଶଙ୍କାରେ ପାଣି ଓ ଅନ୍ୟ ଖାଦ୍ୟ ନମୁନା ସଂଗ୍ରହ ହୋଇଛି । ପରୀକ୍ଷା ନିରୀକ୍ଷା ପରେ ରୋଗର କାରଣ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଟିମ୍ ସୂଚନା ଦେଇଛି । ଜନସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କହିଛନ୍ତି ।