ଭୁବନେଶ୍ୱର-: ରାଜଧାନୀରେ ଆଉ ଗଢିବନି ବସ୍ତି । କାହିଁକି ନା ସରକାର ସୁଲଭ ମୂଲ୍ୟରେ ଘର କରି ସାଧାରଣ ଲୋକଙ୍କୁ ପ୍ରଦାନ କରିବେ । ଓଡ଼ିଶା ରାଜ୍ୟ ସରକାର ସାଧାରଣ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି, ଯେଉଁଠାରେ ୧୫ ଲକ୍ଷରୁ ୫୦ ଲକ୍ଷ ମୂଲ୍ୟ ମଧ୍ୟରେ ବାସସ୍ଥାନ ବିକଳ୍ପ ଉପଲବ୍ଧ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।
ସୂଚନା ଅନୁସାରେ, ସହରକୁ ବସ୍ତିମୁକ୍ତ କରିବା ପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି। କାରଣ ଘର ଅଭାବ ହେଉଛି ବସ୍ତି ନିର୍ମାଣର ମୁଖ୍ୟ କାରଣ। ତେଣୁ, ସରକାର ସହର ଭିତରେ ଭଡା ଘର ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି। ସରକାର ଭୁବନେଶ୍ୱରର ଉପକଣ୍ଠ ଅଞ୍ଚଳରେ ଏହି ଘରଗୁଡ଼ିକ ନିର୍ମାଣ କରିବେ। ଯାହା ଦ୍ବାରା ଭୁବନେଶ୍ବର ସହରର ବିସ୍ତାର ହେବ । ସରକାର ଘର ଯୋଗାଇବାକୁ ଯାଉଥିବାରୁ ସାଧାରଣ ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ରାଜଧାନୀରେ ନିଜର ଘରର ସ୍ୱପ୍ନ ପୂରଣ ହେବ । ଲଟେରୀ ମାଧ୍ୟମରେ ଘର ଯୋଗାଇ ଦିଆଯିବ । କେଉଁ ବର୍ଗର ଲୋକମାନେ ଆବେଦନ କରିପାରିବେ ତାହାର ମାନଦଣ୍ଡ ମଧ୍ୟ ରହିବ । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2 ସ୍ତରର ଘର ମିଳିବ । ସରକାରଙ୍କ ଲକ୍ଷ୍ୟ ହେଉଛି ଉଚ୍ଚମାନର ଘର ଶସ୍ତାରେ ଲୋକଙ୍କୁ ଯୋଗାଇବା ।